Latest Odisha News

BREAKING NEWS

ଅତନୁ ସବ୍ୟସାଚୀଙ୍କ ‘ସବ୍ୟସାଚୀର ଶବ୍ଦ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶ୍ବ ମାତୃଭାଷା ଦିବସ ଅବସରରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ପରିସରରେ ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ କବିତା ସଂକଳନ ” ସବ୍ୟସାଚୀର ଶବ୍ଦ” ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାହିତ୍ୟିକ ସୀତାକାନ୍ତ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ ସାହିତ୍ୟିକା ପ୍ରଫେସର ସଂଘମିତ୍ରା ମିଶ୍ର ଯୋଗ ଦେଇଥିଲେ।

 

ଏହି ଅବସରରେ ଶ୍ରୀ ମହାପାତ୍ର କହିଲେ ଯେ, ଅତନୁଙ୍କ କବିତାରେ ତିନୋଟି ମୁଖ୍ୟ କଥା ରହିଛି- ତାଙ୍କ ବାପା, ବୋଉ ଏବଂ ଚିତ୍ରୋତ୍ପଳା ନଦୀ। ଏମାନଙ୍କ ଉପରେ ସେ କବିତା ଲେଖିଛନ୍ତି। “ସବ୍ୟସାଚୀର ଶବ୍ଦ” ଅନୁଭୂତିର କବିତା ବୋଲି ଦର୍ଶାଇ ସେ କହିଥିଲେ ଯେ, ଗଭୀର ଅନୁଭୂତି ଓ ଅଭିଜ୍ଞତା ନଥିଲେ କବିତା ଲେଖିହୁଏ ନାହିଁ।

ଆନ୍ତର୍ଜାତିକ ମାତୃଭାଷା ଦିବସ। ମାତୃଭାଷା ବଞ୍ଚିବ, ଯଦି ମାତୃଭାଷାରେ ଆମେ ଲେଖିବା। ଆଜି ଅତନୁ ବାବୁ ନିଜ ବହି ଉନ୍ମୋଚନ କରାଇ ମାତୃଭାଷାର ସେବା କରିଛନ୍ତି ବୋଲି ସାହିତ୍ୟିକ ଶ୍ରୀ ଦାସ କହିଥିଲେ।

ଅତନୁଙ୍କ କବିତାରେ କାରୁଣ୍ୟର ସ୍ବର ରହିଛି। ତାଙ୍କର ଜୀବନାନୁଭୂତି ପ୍ରଚୁର ବୋଲି ଶ୍ରୀମତୀ ମିଶ୍ର ଉଲ୍ଲେଖ କରିଥିଲେ ।

ବୋଉଙ୍କ ପ୍ରେରଣା ମତେ ସେ ହିଁ କଲମ ଧରେଇଛି ।” ସେ ଦର୍ଶାଇଥିଲେ, ଆଗରୁ କିଛି କିଛି କବିତା ଲେଖିଛି। କିନ୍ତୁ ବିଶେଷ ପ୍ରକାଶ ପାଇନାହିଁ। ପିଲାଦିନେ ମନପବନ ଓ ମୀନାବଜାରରେ ମୋର କିଛି ଲେଖା ପ୍ରକାଶିତ ହୋଇଛି। ମୋ ମନର ଆବେଗ ଓ ଭାବପ୍ରବଣତା କବିତା ଆକାରରେ ବାହାରି ଆସିଥିଲା। ସେସବୁ ଆଜି ସଂକଳିତ ହୋଇଛି ବୋଲି ନିଜର ଲେଖକୀୟ ଅଭିଭାଷଣରେ ଅତନୁ ସବ୍ୟସାଚୀ କହିଥିଲେ।

ପ୍ରାରମ୍ଭରେ  ବ୍ଲକ ଈଗଲ ବୁକ୍ସ ପକ୍ଷରୁ ଅଶୋକ ପରିଡ଼ା ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ନିଳୟକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସାହିତ୍ୟିକ ଶତ୍ରୁଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଲେଖକ, ବିଧାୟକ ଦେବୀ ମିଶ୍ର, ରାଜନେତା, ଲେଖକଙ୍କ ପରିବାର, ଶୁଭେଚ୍ଛୁ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

 

Leave A Reply

Your email address will not be published.