Latest Odisha News

BREAKING NEWS

ସନ୍ଦୀଗ୍ଧ ଗେରୁଆ ବସ୍ତ୍ରଧାରୀଙ୍କୁ ଅଟକ ରଖିଲା ପୋଲିସ

ବ୍ରହ୍ମପୁର: ଗେରୁଆ ବସ୍ତ୍ର ପିନ୍ଧା ଭିକ୍ଷାବୃତ୍ତି କରୁଥିଲେ, କିନ୍ତୁ ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ଦେଖି ଚିହ୍ନି ପାରିଲେନି । ଏଭଳି ୭ ଜଣ ସନ୍ଦୀଗ୍ଧଙ୍କୁ ଧରି ନିର୍ଧୁମ ଛେଚିଛନ୍ତି ସ୍ଥାନୀୟ ଲୋକେ । ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।
ବ୍ରହ୍ମପୁର ସହରରେ ଗତ କିଛି ଦିନ ହେବ ଗେରୁଆ ବସ୍ତ୍ର ଧାରଣ କରିଥିବା କେତେକ ବ୍ୟକ୍ତି ସାହି ଓ ଗଳିକନ୍ଦିରେ ବୁଲୁଛନ୍ତି। ଛକ ଓ ବଜାର ଛାଡି ଏହି ବ୍ୟକ୍ତିମାନେ ଗଳିକନ୍ଦିରେ ହିଁ ଅଧିକ ବୁଲାବୁଲି କରୁଥିଲେ । ୩ ଦିନ ତଳେ ଏହି ଭଳି କିଛି ବ୍ୟକ୍ତି ଗଜପତିନଗର, ଜୟପ୍ରକାଶନଗର, ନିଳାଞ୍ଚଳନଗର ଅଞ୍ଚଳରେ ବୁଲୁଥିଲେ। ସୋମବାର ମଧ୍ୟ ନିଳାଞ୍ଚଳନଗର ଓ ଲାଞ୍ଜିପଲ୍ଲୀ ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଥିଲା । ସେମାନେ ଘରକୁ ଘର ଓ ଦୋକାନକୁ ବୁଲି ଟଙ୍କା ଓ ପଇସା ମାଗୁଥିଲେ। ଖବରପାଇ ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ସେଠାରେ ପହଞ୍ଚିଥିଲେ । ଗେରୁଆବସ୍ତ୍ର ଧାରୀଙ୍କୁ ଅଟକାଇ ପଚରାଉଚରା ବେଳେ ସେମାନେ ନିଜକୁ ନାଗା ବାବା ବୋଲି ପରିଚୟ ଦେଇଥିଲେ। ଏହାପରେ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ସେମାନଙ୍କୁ ବିଭିନ୍ନ ହିନ୍ଦୁ ଧର୍ମଗ୍ରନ୍ଥର ନାଁ ପଚାରିବା ସହ କିଛି ହିନ୍ଦୁ ଦେବାଦେବୀଙ୍କ ଫଟୋ ଦେଖାଇ ଚିହ୍ନିବାକୁ କହିଥିଲେ।

ହେଲେ ଏହି ଗେରୁଆ ବସ୍ତ୍ରଧାରୀ ବ୍ୟକ୍ତିମାନେ ସେଥିରେ ବିଫଳ ହୋଇଥିଲେ। ଚିହ୍ନି ପାରିଲେନି । ସେହିପରି ସେମାନଙ୍କ ଭୋଟର କାର୍ଡ ଓ ଆଧାର କାର୍ଡ ମାଗିବାରୁ ସେଥିରେ ଏହି ୭ ଜଣଙ୍କ ଯେଉଁଭଳି ପରିଚୟ ଓ ଠିକଣା ଲେଖାଥିଲା, ତାହା ନକଲି ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ପରିଚୟ ପତ୍ରରେ ନାନା ତୃଟି ରହିଥିଲା । ବଜରଙ୍ଗ ଦଳର କର୍ମକର୍ତ୍ତା ଓ କେତେକ ସ୍ଥାନୀୟ ଲୋକେ ସେମାନଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ସନ୍ଦିଗ୍ଧ ଗୋରୁଆ ବସ୍ତ୍ରଧାରୀଙ୍କୁ କାବୁ କରି ବୈଦ୍ୟନାଥପୁର ଥାନାକୁ ହସ୍ତାନ୍ତର କରିଥିଲେ। ଏସ୍‌ଆଇ ବିଭୂତି ସେଠୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ସନ୍ଦିଗ୍ଧଙ୍କୁ ଥାନାରେ ଅଟକି ରଖି ପଚରାଉଚରା କରିବା ପରେ ସେମାନେ ରାଜସ୍ଥାନରୁ ଆସିଥିବା ଉତ୍ତର ଦେଇଥିଲେ।

ସେମାନଙ୍କ ସହ ଆଉ କିଛି ଜଣ ମଧ୍ୟ ବ୍ରହ୍ମପୁରକୁ ଆସି ଏଭଳି ଭିକ୍ଷାବୃତ୍ତି କରୁଥିବା ପୋଲିସକୁ କହିଥିଲେ । ଖବରପାଇ କ୍ରାଇମ ଡିଏସପି ସ୍ବରାଜ ଦେବତା, ବ୍ରହ୍ମପୁର ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ପହଞ୍ଚି ପରିଚୟ ପତ୍ର ଠିକ ଅଛି କି ନାହିଁ ତାହା ଯାଞ୍ଚ କରିଥିଲେ। ସନ୍ଦିଗ୍ଧଙ୍କ ଠାରୁ ଜବତ ହୋଇଥିବା ପରିଚୟ ପତ୍ରରେ କାହାରି ମଧ୍ୟ ଟାଇଟଲ୍‌(ସାଜ୍ଞିଆ) ଲେଖା ହୋଇନଥିବା ବେଳେ ଠିକଣାକୁ ନେଇ ସନ୍ଦେହ ଉପୁଜିଛି। ଏହି ବ୍ୟକ୍ତିମାନେ ଭିନ୍ନ ଧର୍ମର ହୋଇଥିବା ବେଳେ ହିନ୍ଦୁ ଧର୍ମର ବେଶ ଧାରଣ କରି ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି। ଏପରିକି ଚୋରି ଉଦ୍ଦେଶ୍ୟରେ ଏମାନେ ସାହିଗଳି କନ୍ଦିରେ ବୁଲି ତଥ୍ୟ ସଂଗ୍ରହ କରୁଥିବା ମଧ୍ୟ ଅଭିଯୋଗ ରହିଛି। ଯଦି ସେମାନଙ୍କ ପରିଚୟ ଓ ଠିକଣା ଭୁଲ ବୋଲି ଜଣାପଡେ ହେଲେ ସମସ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.