Latest Odisha News

BREAKING NEWS

ବିଜେବି କଲେଜ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣ ଗିରଫ

ଭୁବନେଶ୍ୱର: ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟର କିଛି ଛାତ୍ରଙ୍କୁ ଛୁରା ମାଡ଼ ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମଙ୍ଗଳବାର କମିଶନରେଟ୍ ପୁଲିସ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ୪ ଅଭିଯୁକ୍ତ ହେଲେ ରିତେଶ ନାୟକ, ବିକି ଦଳେଇ, ବଳିଆ ଦାଶ, କେ ଲକ୍ଷ୍ମୀ ନାରାୟଣ। ଏହାକୁ ମିଶାଇ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ଏବେ ୮ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଶନିବାର କଲେଜ ଖେଳ ପଡ଼ିଆରେ କ୍ରିକେଟ ଖେଳକୁ ନେଇ ଯୁକ୍ତିତର୍କ ହେବା ପରେ କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଭୁବନେଶ୍ୱର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ୩ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ମୁଖ୍ୟତଃ କଲେଜ ପଡିଆରେ ଅଣ ଛାତ୍ର ପ୍ରବେଶ କରି କଲେଜ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତିନି ଛାତ୍ର ଲହୁଲୁହାଣ ହେବା ପରେ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପରେ ବଡ଼ଗଡ଼ ଥାନା ପୁଲିସ କେଦାରପଲ୍ଲୀ ଓ ମହିଷାଖଳା ଅଞ୍ଚଳର ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଦୁଇଟି ବାଇକ୍, ଖଣ୍ଡା, ଭୁଜାଲି ଓ ଭୁଜାଲି ଜବତ କରିଛି। ଏହି ଘଟଣାରେ ୨୦ ଜଣ ସମ୍ପୃକ୍ତ ଥିବାରୁ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ବରିଷ୍ଠ ଅଧିକାରୀମାନେ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗିରଫ ଅଭିଯୁକ୍ତମାନେ ବିଭିନ୍ନ ସାହିରେ ରୁହନ୍ତି। ବେଆଇନ୍ ଭାବେ ଯଦି ଘର ତିଆରି କରି ରହୁଥିବେ ତାହେଲେ ପୋଲିସ ବିଏମସି ଜରିଆରେ ସେହି ସବୁ ଘର ଉପରେ ବୁଲଡଜର ବୁଲାଇବ ବୋଲି ସୂଚନା ରହିଛି।

Comments are closed.