Latest Odisha News

ପୋଲିସକୁ ଧକ୍କା ଦେବା ଘଟଣାରେ ୪ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ଵର: ପୋଲିସ କର୍ମଚାରୀଙ୍କୁ କାର୍ ମଡେଇଦେବା ଘଟଣାରେ ୪ଜଣଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ୪ ଅଭିଯୁକ୍ତ ହେଲେ କେନ୍ଦ୍ରାପଡା ଜିଲ୍ଲାର ମୋତିଲାଲ ସାମଲ, ମୃତ୍ୟୁଞ୍ଜୟ ସାମଲ, ମନୀଷ ଓଝା ଓ ସାରଥୀ ନାୟକ । ସେମାନଙ୍କୁ ଗିରଫ କରିବା ସହ ଯେଉଁ କାରରେ ସେମାନେ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇଥିଲେ ସେହି କାରକୁ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ଗତ କାଲି ରାତିରେ କିଛି ପୋଲିସ କର୍ମଚାରୀ ଚନ୍ଦ୍ରଶେଖରପୁର କେୟାର ହସ୍ପିଟାଲ ନିକଟରେ ରାତ୍ରିକାଳୀନ ବ୍ଲକିଙ୍ଗ/ଚେକିଙ୍ଗ କରୁଥିବା ବେଳେ, ଏକ ମାରୁତି ସୁଜୁକି ଏସପ୍ରେସୋ କାର ଦ୍ରୁତ ଗତିରେ ନାଲକୋ ଛକରୁ ଡମଣା ଛକ ଅଭିମୁଖେ ଆସୁଥିବାର ଦେଖିବାକୁ ପାଇଥିଲେ । ବ୍ଲକିଙ୍ଗ ଡ୍ଯୁଟିରେ ମୁତୟନ ଥିବା ପୋଲିସ କର୍ମଚାରୀ ମାନେ ଉକ୍ତ କାରକୁ ଅଟକାଇବା ଲାଗି ପ୍ରୟାସ କରିବା ବେଳେ, ଉକ୍ତ କାରର ଚାଳକ କାରର ଗତି ବଢାଇ ସେଠାରେ ଲାଗିଥିବା ବ୍ୟାରିକେଡ ଭାଙ୍ଗିବା ସହିତ କର୍ତ୍ତବ୍ୟରତ ଜଣେ ପୋଲିସ କର୍ମଚାରୀଙ୍କୁ ଖୁବ ଜୋରରେ ଧକ୍କା ଦେଇ ପଳାଇଥିଲା । ଏହି ଘଟଣାରେ ପୋଲିସ କର୍ମଚାରୀଙ୍କ ଶରୀରର ଏକାଧିକ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ତୁରନ୍ତ ତାଙ୍କୁ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଉକ୍ତ ଅଟକାଇବାରେ ସକ୍ଷମ ହୋଇଥିଲା ପୋଲିସ । ଯାଞ୍ଚ ସମୟରେ ଉକ୍ତ କାରର ଚାଳକ ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚଳାଉ ଥିବା ଏବଂ ଭିତରେ ତାଙ୍କର ଅନ୍ୟ ତିନିଜଣ ସହଯୋଗୀ ବସିଥିବା ଜଣାପଡିଥିଲା । ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ ।

Comments are closed.