ଭୁବନେଶ୍ବର: ହାଣ୍ଡିଆ ପିଆଇ ଲୋକଙ୍କଠାରୁ ଭଡ଼ାରେ ନେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ ସାଇବର ଠକ। ମ୍ୟୁଲ୍ ଆକାଉଣ୍ଟରେ ଆସୁଛି ସାଇବର ଠକେଇ ଟଙ୍କା । ଆକାଉଣ୍ଟ ଖୋଲିଦେଇ ମୋଟା ଅଙ୍କର କମିଶନ ନେଉଛନ୍ତି ଠକଙ୍କ ସହଯୋଗୀ।
ଏଭଳି ଏକ ଠକକୁ ଧରିଛି ପୋଲିସ । ମୟୂରଭଞ୍ଜରୁ ମୁଲ୍ ଆକାଉଣ୍ଟ ଚଳାଉଥିବା ରାଜେନ୍ଦ୍ର ସିଂକୁ ଗିରଫ କରିଛି ପୋଲିସ।
ସୂଚନାଥାଉକି, ବାଲେଶ୍ୱର ଅଞ୍ଚଳରେ ମୁଲ୍ ଆକାଉଣ୍ଟ ଚଳାଇ ସାଇବର ଠକଙ୍କୁ ଠକେଇ ଟଙ୍କା ନେଣଦେଣରେ ସହଯୋଗ କରୁଥିଲା ଅଭିଯୁକ୍ତ। ୨୦୨୫ରେ ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଫୋନ୍ କରି ଠକିଥିଲେ ସାଇବର ଠକ। ପରେ ହ୍ୱାଟ୍ସଆପରେ ଆପ୍ ପଠାଇ ୯ ଲକ୍ଷ ଟଙ୍କା ଲୁଟ୍ କରିଥିଲେ। ଏହି ଠକେଇ ଟଙ୍କା ମୁଲ୍ ଆକାଉଣ୍ଟ ଜରିଆରେ ଟ୍ରାନ୍ସଫର କରାଯାଇଥିଲା।
ଲୋଭନୀୟ ଅଫର ଓ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଫସାଇବା ପରେ ଆକାଉଣ୍ଟ ଖାଲି କରୁଥିଲେ। ଓଡ଼ିଶା ସମେତ ଗୁଜରାଟ, ଆସାମ ଓ କୋଲକାତାରେ ଠକେଇର ଲିଙ୍କ୍ ରହିଛି।
ଅଭିଯୁକ୍ତ ରାଜେନ୍ଦ୍ର ଗିରଫ ପରେ ଏବେ ପୋଲିସର ଟାର୍ଗେଟରେ ଅନ୍ୟ ମୁଲ୍ ଆକାଉଣ୍ଟଧାରୀ ଓ ମାଷ୍ଟରମାଇଣ୍ଡ। ଏହି ସାଇବର ଠକେଇ ଚେନ୍ ରେ ଆଉ କେତେ ଜଣ ସାମିଲ ଅଛନ୍ତି, ସେନେଇ ଖୋଳତାଡ଼ କରୁଛି ପୋଲିସ ।

