ମାଲକାନଗିରି: ମରିଯାଇଛି ମାନବିକତା। ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟା ପରେ ସମସ୍ତ ପ୍ରମାଣକୁ ନିଆଁ ଲଗାଇ ପୋଡି ଦେଇଥିଲେ ଦୁଷ୍କର୍ମକାରୀ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପାଉଁଶ ଭିତରୁ ପ୍ରମାଣ ବାହାର କରି ହତ୍ୟାକାରୀକୁ କାବୁ କରିଛି ପୋଲିସ। କୋରକୋଣ୍ଡା ଠାରେ ଗତ ୫ ତାରିଖ ଦିନ ଜଣେ ବୃଦ୍ଧା ମହିଳାଙ୍କ ଶବ ପଞ୍ଚାୟତ ଷ୍ଟୋର ରୁମ ପାଖରେ ମିଳିଥିଲା। ଏନେଇ କୋରକୋଣ୍ଡା ପୁଲିସ ଘଟଣାର ତଦନ୍ତ କରିବା ପରେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ସ୍ଥାନୀୟ ଦୁଇ ଯୁବକଙ୍କୁ ପଚରାଉଚରା କରିବା ପରେ ଘଟଣାର ସତ ସାମନାକୁ ଆସିଥିଲା।
ସୂଚନା ଅନୁସାରେ, କୋରକୋଣ୍ଡାର ଗୁରୁବାରୀ ଦାସ(୬୩) ସ୍ଥାନୀୟ ପଞ୍ଚାୟତ ଷ୍ଟୋର ରୁମ ନିକଟରେ ରହୁଥିଲେ। ଗତ ୧୦ରୁ ୧୨ ବର୍ଷ ହେଲା ସେ ହୋଟେଲ ଏବଂ ଘରମାନଙ୍କରେ କାମ କରି ଚଳୁଥିଲେ। ତେବେ ଗୁରୁବାରୀର ମୃତ ଦେହ ୫ ତାରିଖ ଦିନ ସକାଳୁ ପଞ୍ଚାୟତ ଷ୍ଟୋର ରୁମ ନିକଟରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ।
ପୋଲିସ ତଦନ୍ତ ଅନୁସାରେ, ଗତ ୪ ତାରିଖ ରାତିରେ ଖଇରପୁଟ ବ୍ଲକରେ ମଣ୍ଡେଇ କାର୍ଯ୍ୟକ୍ରମ ଚାଲିଥିଲା। କୋରକୋଣ୍ଡାର କମଳୁ ନାଗ(୩୮) ଏବଂ ନିକଟସ୍ଥ ଗ୍ରାମ ଖିଲଗୁଡାର ରାକେଶ ଢାଲି(୩୦) ମଣ୍ଡେଇ ଦେଖିବା ପରେ କୋରକୋଣ୍ଡାରେ ପହଞ୍ଚିଥିଲା। ତେବେ ଏମାନଙ୍କ ମଧ୍ୟରୁ ଜଣେ ଗୁରୁବାରିର ଫୋନ ନମ୍ବରରେ ସବୁବେଳେ କଥା ହେଉଥିଲା। ରାତିରେ ଏମାନେ ପମ୍ପ ହାଉସ ନିକଟକୁ ଡାକିଲେ। ବଳପୂର୍ବକ ଗୁରୁବାରିକୁ ଦୁଇ ଜଣ ଅଭିଯୁକ୍ତ ଗଣ ଦୁଷ୍କର୍ମ କରିଥିଲେ।
ଗୁରୁବାରି ପାଟି କରିବାରୁ ତା’ର ପାଟିକୁ ଜାବୁଡି ଧରିଥିଲେ। ତେବେ ଜୋରରେ ଜାବୁଡି ଧରିବା ପରେ ତାର ମୃତ୍ୟୁ ହୋଇଯାଇଥିଲା। ଦୁହେଁ ଶବକୁ ପୁଣି ପଞ୍ଚାୟତ ଷ୍ଟୋର ରୁମ ନିକଟରେ ଫୋପାଡି ଦେଇଥିଲେ। କୋରାପୁଟ ସାଇଣ୍ଟିଫିକ ଟିମ ତଦନ୍ତ କରିବା ପରେ ଏହା ହତ୍ୟା ବୋଲି ଜାଣିବାକୁ ମିଳିଥିଲା। ଯାହାଫଳରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।
Comments are closed.