Latest Odisha News

ଜେଇଇ-ନିଟ୍ ପରୀକ୍ଷାକୁ ନେଇ ପ୍ରତିବାଦ, ପୋଲିସର ଲାଠି ଚାର୍ଜ

ଲକ୍ଷ୍ନୌ: ମହାମାରୀ କରୋନା ଭିତରେ ଆସନ୍ତା ସେପ୍ଟେମ୍ବରରେ ଆୟୋଜିତ ହେବ ଜେଇଇ ଓ ନିଟ୍ ପରୀକ୍ଷା । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହାକୁ ବିରୋଧ କରି ଆଜି ଶତାଧିକ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜଭବନ ଆଗରେ ସମାଜବାଦୀ କର୍ମୀମାନେ ପ୍ରତିବାଦ କରିଛନ୍ତି । ଏହି ସମୟରେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା । କର୍ମୀଙ୍କୁ ଘଉହାଇବା ପାଇଁ ପୋଲିସ ଲାଠି ଚାର୍ଜ କରିଛି । ଗୁରୁବାର ଅପରାହ୍ଣରେ ଛାତ୍ର ସଂଗଠନ ସମେତ ସମାଜବାଦୀ ପାର୍ଟିର କର୍ମୀମାନେ ରାଜଭବନ ଆଗରେ ଏକାଠି ହୋଇଥିଲେ । କରୋନା କାଳରେ ପରୀକ୍ଷା ଆୟୋଜନ କରିବା ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ସୃଷ୍ଠି କରିପାରେ । ଏନେଇ ସେମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ସମାଜବାଦୀ ପାର୍ଟି କର୍ମୀମାନଙ୍କୁ ପୁଲିସ ଅଟକାଇବା ସହ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଲାଠି ଚାର୍ଜ କରିଥିଲା। ପରେ ସେମାନଙ୍କୁ ଅଟକ ରଖାଯାଇ ପୁଲିସ ଲାଇନ୍ ପଠାଇ ଦିଆଯାଇଥିବା ଜଣାପଡିଛି ।

କରୋନାଭାଇରସ୍ ମହାମାରୀ ମଧ୍ୟରେ ‘ନିଟ୍‌’ ଓ ‘ଜେଇଇ’ କରାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ପୂର୍ବରୁ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ଚିଠି ଲେଖିଥିଲେ। ସେ କହିଥିଲେ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଅକାରଣରେ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟକୁ ବିପଦଗାମୀ କରାଉଛି। ବିଜେପି ଭୁଲି ଯାଇଛି ଯେ, ଲୋକେ ବାଧ୍ୟବାଧ୍ୟକତା ଯୋଗୁଁ ପଦାକୁ ଆସୁଛନ୍ତି। ଯେଉଁମାନେ ଘରେ ନିଜକୁ ନିରାପଦ ରଖିବାକୁ ଚାହୁଁଥିଲେ ଏବେ ସେମାନେ ପରୀକ୍ଷା ଦେବା ନାଁରେ ପଦାକୁ ବାହାରିବାକୁ ବାଧ୍ୟ ହେଉଛନ୍ତି।  ଛାତ୍ରଛାତ୍ରୀମାନେ ସଂକ୍ରମିତ ହେଲେ କିଏ ଦାୟୀ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

Comments are closed.