Latest Odisha News

BREAKING NEWS

ପୋଲିସ ହାବୁଡ଼ରେ ଡକାୟତ ଗ୍ୟାଙ୍ଗ, ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ

ଅନୁଗୁଳ: ସଦର ଥାନା ପୋଲିସ ହାବୁଡ଼ରେ ଡକାୟତ ଗ୍ୟାଙ୍ଗ। ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ୪ ଜଣ ଡକାୟତଙ୍କୁ ଗିରଫ କଲା ପୋଲିସ। ସେମାନଙ୍କ ନିକଟରୁ ଖଣ୍ଡା ସହ ମାରଣାସ୍ତ୍ର, କାର, ମୋବାଇଲ ଆଦି ଜବତ କରିଛି ପୋଲିସ ।

ସୂଚନା ଅନୁସାରେ ସରଧାପୁର ଗାଁ ମୁଣ୍ଡରେ କିଛି ଡକାୟତ ବସି ଡକାୟତି ଯୋଜନା କରୁଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସଦର ଥାନା ପୋଲିସ ଖବର ପାଇଥିଲା। ଖବର ପାଇବା ପରେ ପୋଲିସ ସଦଳବଳେ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କାବୁ କରି ନେଇଥିଲା। ପଚରାଉଚରା ବେଳେ ସେମାନେ କରଡ଼ାଗାଡ଼ିଆ ଠାରେ ଥିବା ଏକ ପେଟ୍ରୋଲ ପମ୍ପ ଲୁଟ କରିବାକୁ ଯୋଜନା କରୁଥିବା ମାନି ଯାଇଥିଲେ।

ଏଥିପାଇଁ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ଥିବା କୁଶାସିଙ୍ଗା ଗାଁର ପୁରୁଷୋତ୍ତମ ଭୁତିଆ ଓରଫ ଟୋପା ନାମରେ ୨୨ ରୁ ଅଧିକ ଚୋରି, ରାହାଯାନୀ, ଡକାୟତି ଆଦି ମାମଲା ଥିବା ବେଳେ ସେ ଏହି ଲୁଟ ଯୋଜନାର ମାଷ୍ଟରମାଇଣ୍ଡ ଥିଲା। ଏହା ସହ ଗିରଫ ଅଭିଯୁକ୍ତ ପୁରୁଣାଗଡ଼ ଗାଁର ଅନିଲ ବେହେରା ନାମରେ ୧୯ଟି ମାମଲା ରହିଛି । ସେହିଭଳି ତଲଗଡ଼ ଗାଁର ସୁରେନ୍ଦ୍ର ନାଏକ ନାଁରେ ପୂର୍ବରୁ ୬-୭ ଟି ଚୋରି, ଡକାୟତି, ରାହାଯାନୀ ଭଳି ମାମଲା ରହିଛି।

ଗିରଫ ମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି। ଏମାନଙ୍କ ବ୍ଯତୀତ ଅନ୍ୟ ଦୁଇ ଜଣ ଫେରାର ଥିବା ମଧ୍ୟ ଜଣା ପଡିଛି। ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ଏକ କାର, ତିନୋଟି ଖଣ୍ଡା ସମେତ ଛୋଟ ମୋଟ ମାରଣାସ୍ତ୍ର, ୬ ଟି ମୋବାଇଲ ଓ ମଦ ବୋତଲ ଜବତ କରିଛି। ଏ ନେଇ ଅନୁଗୁଳ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି।

Comments are closed.