Latest Odisha News

BREAKING NEWS

ବାଘଛାଲ ଚୋରା ଚାଲାଣ ଉଦ୍ୟମ ବେଳେ ମାଡି ବସିଲା ପୋଲିସ; ୩ ଗିରଫ

ବ୍ରହ୍ମପୁର: ବାଘଛାଲ ଚାଲାଣ ବେଳେ ମାଡି ବସିଲା ପୋଲିସ । ଏଭଳି ଖବର ସାମ୍ନାକୁ ଆସିଛି ଧନାବଡ଼ା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଆଙ୍କୁଳି ଅଞ୍ଚଳରେ । ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଏକ ବାଘଛାଲ, ୨ଟି ଜୀବନ୍ତ ବୋମା, ଗୋଟିଏ ଖଣ୍ଡା, ଗୋଟିଏ ଲୁହା ରଡ୍‌ ଏବଂ ଗୋଟିଏ ଛୁରୀ ଜବତ କରିଛି । ଏହା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ଅଧୀନ ଚଚଡାଖଟା ଗାଁର ଗୋବିନ୍ଦ ଚନ୍ଦ୍ର ନାୟକ (୪୭), ବାରଡ଼ା ଗାଁର ରିତୁନ ବଡ଼ମୁଣ୍ଡି (୨୫) ଏବଂ ଗୁଞ୍ଜୁ ରଇତ (୬୦) ।

ଖବର ମୁତାବକ, ଧନାବଡ଼ା ଆଙ୍କୁଳି ଅଞ୍ଚଳରେ କିଛି ଲୋକ ବାଘଛାଲ ଚାଲାଣ ପାଇଁ ଉଦ୍ୟମ କରୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ଚଢାଉ କରିଥିଲା । ଏହି ସମୟରେ ଅଭିଯୁକ୍ତମାନେ ପୋଲିସକୁ ଧକ୍କା ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ । ଜଣେ ଅଭିଯୁକ୍ତ ଖଣ୍ଡା ଦେଖାଇ ପୋଲିସକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ୩ ଜଣ ଗିରଫ ହୋଇଥିବାବେଳେ, ଜଣେ ଖସି ପଳାଇବାରେ ସକ୍ଷମ ହୋଇଥିଲା ।

୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି । ତେବେ ଏହି ବାଘ ଛାଲକୁ କେଉଁଠୁ ଆଣିଥିଲେ ଏବଂ କାହାକୁ ବିକ୍ରି କରିଥାନ୍ତେ, ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.