କୋଲକାତା: ପଶ୍ଚିମବଙ୍ଗର କ୍ଷମତା କରିଡରରେ ଏବେ ‘ସୁନା’କୁ ନେଇ କମ୍ପନ ସୃଷ୍ଟି ହୋଇଛି। ଗୋଟିଏ ପରେ ଗୋଟିଏ ସରକାରୀ ନେତାଙ୍କ ଗୁପ୍ତ ଆସ୍ଥାନରୁ କିଲୋ କିଲୋ ଓଜନର ସୁନା ଜବତ ହେବା ଘଟଣା ସାଧାରଣ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଏହି କ୍ରମରେ ଗତକାଲି ଅଧରାତିରୁ ଆଜି ସକାଳ ପର୍ଯ୍ୟନ୍ତ ନଦିଆ ଜିଲ୍ଲାରେ ପୋଲିସ ଚଲାଇଥିବା ଏକ ହାଇ-ଭୋଲଟେଜ୍ ଅପରେସନରୁ ବଡ଼ ସଫଳତା ମିଳିଛି।
ତୃଣମୂଳ କଂଗ୍ରେସର ଜଣେ ପ୍ରଭାବଶାଳୀ ମହିଳା ନେତ୍ରୀଙ୍କ ପୈତୃକ ବାସଭବନରୁ ପ୍ରାୟ ୩ କେଜି ଓଜନର ସୁନା ଜବତ କରିଛି ବିଧାନନଗର ସିଟି ପୋଲିସ। ଜବତ ହୋଇଥିବା ଏହି ସୁନାର ଆନୁମାନିକ ବଜାର ମୂଲ୍ୟ ୪ କୋଟି ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ସବୁଠାରୁ ରୋମାଞ୍ଚକର କଥା ହେଉଛି, ପୋଲିସ ନିଜ ହେପାଜତରେ ଥିବା ଟିଏମସିର ବାହୁବଳୀ ନେତା ତଥା ବିଧାନନଗର ମ୍ୟୁନିସିପାଲ କର୍ପୋରେସନର ପୂର୍ବତନ ମେୟର ସବ୍ୟସାଚୀ ଦତ୍ତଙ୍କୁ ସାଙ୍ଗରେ ଧରି ଅଧରାତିରେ ନଦିଆ ଜିଲ୍ଲାକୁ ଯାଇଥିଲା। ସବ୍ୟସାଚୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଟିଏମସି ମହିଳା ସଂଗଠନର ନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ଟିନା ଭୌମିକ ସାହାଙ୍କ ଘରେ ଏହି ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ କରାଯାଇଥିଲା।
କୋଟି କୋଟି ଟଙ୍କାର ବେଆଇନ ଚାନ୍ଦା ଆଦାୟ ମାମଲାରେ ଗତ ଜୁନ୍ ୮ ତାରିଖରେ ସବ୍ୟସାଚୀ ଦତ୍ତଙ୍କୁ ତାଙ୍କ ନ୍ୟୁଟାଉନ୍ ଫ୍ଲାଟ୍ରୁ ଗିରଫ କରାଯାଇଥିଲା। ପୋଲିସ ହେପାଜତରେ ଥିବା ବେଳେ ତାଙ୍କୁ ଘନ ଘନ ଜେରା କରାଯିବା ପରେ ନଦିଆର ଟିନା ଭୌମିକଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ପୋଲିସ ସୂତ୍ର ଅନୁସାରେ, ବେଆଇନ ଭାବେ ଆଦାୟ କରାଯାଉଥିବା କଳାଟଙ୍କାକୁ ଧଳା କରିବା ପାଇଁ ସବ୍ୟସାଚୀ ବ୍ୟାପକ ପରିମାଣର ସୁନା କିଣୁଥିଲେ ଏବଂ ତାହାକୁ ନିଜର ବିଶ୍ୱସ୍ତ ସହଯୋଗୀଙ୍କ ପାଖରେ ଲୁଚାଇ ରଖୁଥିଲେ। ଗତକାଲି ରାତିରେ ପୋଲିସ ପ୍ରଥମେ କରିମପୁର ସ୍ଥିତ ଟିନାଙ୍କ ବାପଘରେ ଏବଂ ପରେ ନାଜିରପୁର ସ୍ଥିତ ଶାଶୁଘରେ ଚଢ଼ଉ କରି ଏହି ବିପୁଳ ସୁନା ଠାବ କରିଛି। ଏହାପୂର୍ବରୁ ସବ୍ୟସାଚୀଙ୍କ ନିଜସ୍ୱ ଫ୍ଲାଟ୍ ଏବଂ ବ୍ୟାଙ୍କ ଲକରରୁ ମଧ୍ୟ ପ୍ରାୟ ସାଢ଼େ ୩ କେଜି ସୁନା ଜବତ ହୋଇସାରିଛି।
ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ଯେ, ୨୦୧୯ ମସିହାରେ ଟିଏମସିରେ ସାମିଲ ହେବା ପରେ ଟିନା ଭୌମିକଙ୍କ ରାଜନୈତିକ ପତିଆରା ବଢିଥିଲା। ଦଳ ତାଙ୍କୁ ପରପର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଇଥିଲା। ଟିନାଙ୍କ ସମସ୍ତ କାର୍ଯ୍ୟକ୍ରମରେ ସବ୍ୟସାଚୀ ଦତ୍ତଙ୍କୁ ନିୟମିତ ଦେଖିବାକୁ ମିଳୁଥିଲା। ରାଜନୈତିକ ପ୍ରତିପତ୍ତି ବଢ଼ିବା ସହ ଟିନାଙ୍କ ଆୟ ଓ ସମ୍ପତ୍ତିର ପରିମାଣ ହଠାତ୍ କେମିତି କୋଟି କୋଟି ଟଙ୍କାକୁ ବୃଦ୍ଧି ପାଇଲା, ସେ ନେଇ ପୋଲିସ ପାଖରେ ପୂର୍ବରୁ ଗୁପ୍ତ ସୂଚନା ଥିଲା।
ପଶ୍ଚିମବଙ୍ଗରେ ନିକଟରେ ହୋଇଥିବା ଶାସନ ପରିବର୍ତ୍ତନ ପରେ ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଗତ ମେ’ ମାସ ପରଠାରୁ ଦୁର୍ନୀତି ଓ କଳାଟଙ୍କା କାରବାର ଅଭିଯୋଗରେ ଟିଏମସିର ଅନେକ ପ୍ରାକ୍ତନ ମନ୍ତ୍ରୀ, ବିଧାୟକ ଓ ଶତାଧିକ ନେତା ଗିରଫ ହୋଇ ଜେଲ୍ରେ ଅଛନ୍ତି। ନଦିଆ ଜିଲ୍ଲାରୁ ହିଁ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଉଜ୍ଜ୍ୱଳ ବିଶ୍ୱାସ ଏବଂ ନବଦ୍ୱୀପ ପୌରପାଳିକା ଅଧ୍ୟକ୍ଷ ବିମାନକୃଷ୍ଣ ସାହା ଗିରଫ ହୋଇ ସାରିଛନ୍ତି। ବର୍ତ୍ତମାନ ୩ କେଜି ସୁନା ଜବତ ହେବା ପରେ ପୋଲିସ ଟିନା ଭୌମିକଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସମ୍ପତ୍ତିର ଦଲିଲ୍ ଯାଞ୍ଚ କରୁଛି। ଏହି ସୁନା ସାମ୍ରାଜ୍ୟର ଚେର ଆଉ କେଉଁ କେଉଁ ପ୍ରଭାବଶାଳୀ ନେତାଙ୍କ ପର୍ଯ୍ୟନ୍ତ ଲମ୍ବିଛି, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି।
