Latest Odisha News

ସଦଗୁରୁଙ୍କ ଆଶ୍ରମରେ ଯୁବତୀଙ୍କ ବ୍ରେନୱାସ?

ନୂଆଦିଲ୍ଲୀ: ବିବାଦରେ ସଦଗୁରୁ ଜାଗି ବାସୁଦେବଙ୍କ ଇଶା ଫାଉଣ୍ଡେସନ । ତଦନ୍ତ ପରିସରକୁ ଆସିଛି ଇଶା ଫାଉଣ୍ଡେସନ । ୧୫୦ ପୋଲିସ ଅଧିକାରୀ କୋଏମ୍ବାଟୁରରେ ଥିବା ଇଶା ଫାଉଣ୍ଡେସନ ଆଶ୍ରମରେ ପଶି ତନାଘନା କରିଛନ୍ତି । ଫାଉଣ୍ଡେସନ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଫୌଜଦାରୀ ମାମଲା ସଂପର୍କରେ ରିପୋର୍ଟ ଲୋଡିଥିଲେ ମାଡ୍ରାସ ହାଇକୋର୍ଟ। ଏଥିପାଇଁ ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ପରେ ୧୫୦ ପୋଲିସ ଅଫିସରଙ୍କ ଏକ ଟିମ୍ ଇଶା ଫାଉଣ୍ଡେସନ ଆଶ୍ରମରେ ପହଂଚି ଯାଂଚ କରିଛନ୍ତି । ଆସିଷ୍ଟାଣ୍ଟ ଡେପୁଟି ଏସପିଙ୍କ ନେତୃତ୍ୱରେ ଫାଉଣ୍ଡେସନ ଆଶ୍ରମରେ ଚଢାଉ କରାଯାଇଥିଲା । ଆଶ୍ରମ ପରିସରରେ ସ୍ଥିତି ପରଖିଥିଲେ ପୋଲିସ ଅଫିସରଙ୍କ ଟିମ୍ ।

ଫାଉଣ୍ଡେସନ ବିରୋଧରେ ଅଭିଯୋଗ

ଇଶା ଫାଉଣ୍ଡେସନ ଓ ସଦଗୁରୁ ଜାଗି ବାସୁଦେବଙ୍କ ବିରୋଧରେ କିଛି ଅଭିଯୋଗ କରାଯାଇଛି । ଫାଉଣ୍ଡେସନର ଆଶ୍ରମରେ ଅନ୍ତେବାସିନୀଙ୍କୁ ସନ୍ନ୍ୟାସିନୀ ଜୀବନ ବିତାଇବା ପାଇଁ ପ୍ରବର୍ତ୍ତାଯାଉଥିବା ଅଭିଯୋଗ ହୋଇଛି। ସେମାନଙ୍କ ବ୍ରେନୱାସ କରାଯାଉଥିବା ନେଇ ହୋଇଛି ଅଭିଯୋଗ।ପ୍ରକୃତରେ ଜଣେ ରିଟାୟାର୍ଡ ପ୍ରଫେସର ଡକ୍ଟର ଏସ. କାମରାଜ ଇଶା ଫାଉଣ୍ଡେସନ ବିରୋଧରେ ଗୁରୁତର ଅଭିଯୋଗ କରି ଦାଖଲ କରିଥିଲେ ପିଟିସନ । ଇଶା ଫାଉଣ୍ଡେସନରେ ତାଙ୍କର ଦୁଇ ଝିଅଙ୍କୁ ଇଚ୍ଛା ବିରୁଦ୍ଧରେ ରଖାଯାଇଛି ବୋଲି ଅଭିଯୋଗ କରିଥିଲେ ଡକ୍ଟର କାମରାଜ । ୪୨ ବର୍ଷିୟା ଗୀତା ଓ ୩୯ ବର୍ଷିଆ ଲତା କାମରାଜଙ୍କୁ ସେମାନଙ୍କ ଇଛା ବିରୁଦ୍ଧରେ ଫାଉଣ୍ଡେସନରେ ରଖାଯାଇ ବ୍ରେନ ୱାସ୍ କରାଯାଉଛି ବୋଲି ଚାଂଚଲ୍ୟକର ଅଭିଯୋଗ କରିଛନ୍ତି ଡକ୍ଟର କାମରାଜ । ପରିବାର ସହ ସଂପର୍କ ତୁଟାଇ ଯୋଗିନୀ ଜୀବନ ବିତାଇବାକୁ ବାଧ୍ୟ କରାଯାଉଥିବା ନେଇ ପିଟିସନରେ ଦର୍ଶାଇଥିଲେ ରିଟାୟର୍ଡ ପ୍ରଫେସର । ପ୍ରଫେସରଙ୍କ ପିିଟିସନ ପରେ ଇଶା ଫାଉଣ୍ଡେସନ ଆଶ୍ରମରେ ଗତିବିଧି ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ । ଏଥିସହ ଫାଉଣ୍ଡେସନ ବିରୋଧରେ ପଂଜୀକୃତ ଫୌଜଦାରୀ ମାମଲାର ବିସ୍ତୃତ ତଥ୍ୟ ମାଗିଥିଲେ କୋର୍ଟ ।

‘ସଦଗୁରୁଙ୍କ ଉଚ୍ଚାରଣ ଓ ଆଚରଣରେ ଫରକ’

ଇଶା ଫାଉଣ୍ଡେସନ ବିରୋଧରେ ରିଟାୟାର୍ଡ ପ୍ରଫେସର ଡକ୍ଟର କାମରାଜଙ୍କ ପିଟିସନର ଶୁଣାଣି ବେଳେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଥିଲେ ବିଚାରପତି ଜଷ୍ଟିସ ଏସ.ଏମ ସୁବ୍ରମଣ୍ୟମ ଓ ଜଷ୍ଟିସ ଭି. ଶିବଜ୍ଞାନମଙ୍କ ଖଣ୍ଡପୀଠ। ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ଜାଗି ବାସୁଦେବଙ୍କ ବ୍ୟକ୍ତିଗତ ଜୀବନଶୈଳୀ ଓ ଅନ୍ୟମାନଙ୍କ ଜୀବନଶୈଳୀ ପାଇଁ ସେ ଦେଉଥିବା ପ୍ରବଚନରେ ତଫାତ୍ ରହୁଛି ବୋଲି କହିଥିଲେ ଦୁଇଜଣିଆ ଖଣ୍ଡପୀଠ। ସଦଗୁରୁ ବାସୁଦେବ ନିଜ ଝିଅର ବାହାଘର କରାଇଛନ୍ତି । କିନ୍ତୁ ଆଶ୍ରମ ଯାଉଥିବା ଯୁବତୀମାନଙ୍କୁ କାହିଁକି ଏହାର ବିପରୀତ ଶିକ୍ଷା ଦେଉଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ । ଯୁବତୀଙ୍କୁ ମୁଣ୍ଡନ କରିବା ଓ ମୋହମାୟା ଜୀବନ ଛାଡିବା ପାଇଁ ସଦଗୁୁରୁ କାହିଁକି କହୁଛନ୍ତି ବୋଲି ପ୍ରଶ୍ନ କରିଥିଲେ କୋର୍ଟ ।

ଇଶା ଫାଉଣ୍ଡେସନର ପ୍ରତିକ୍ରିୟା

ଆଶ୍ରମରେ ଯୁବତୀମାନଙ୍କୁ ବ୍ରେନୱାସ କରାଯାଇ ସେମାନଙ୍କୁ ସନ୍ୟାସିନୀ ଜୀବନ ବିତାଇବା ପାଇଁ କୁହାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛି ଇଶା ଫାଉଣ୍ଡେସନ। କାହାକୁ ବି ବିବାହ ବା ସନ୍ୟାସ ଜୀବନ ପାଇଁ ବାଧ୍ୟ କରାଯାଉନାହିଁ । ଏହା ସେମାନଙ୍କ ବ୍ୟକ୍ତିଗତ ଇଛା ବୋଲି ଏକ ବିବୃତି ଜାରି କରି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ଫାଉଣ୍ଡେସନ ବିରୋଧରେ କୌଣସି ଫୌଜଦାରୀ ମାମଲା ନାହିଁ । ମାଡ୍ରାସ ହାଇକୋର୍ଟ ଚୂଡାନ୍ତ ରିପୋର୍ଟ ପ୍ରଦାନ ଉପରେ ରହିତାଦେଶ ଜାରି କରିଥିବା ଇଶା ଫାଉଣ୍ଡେସନ କହିଛି ।

ଆଗରୁ ବି ବିବାଦରେ ରହିଛି ଇଶା ଫାଉଣ୍ଡେସନ

ଇଶା ଫାଉଣ୍ଡେସନ ହେଉଛି ସଦଗୁରୁ ଜାଗି ବାସୁଦେବଙ୍କ ଦ୍ୱାରା ସ୍ଥାପିତ ଏକ ଅଣଲାଭକାରୀ ସ୍ୱେଚ୍ଛାସେବୀ ସଂଗଠନ । ଏହାକୁ ଆଧ୍ୟାତ୍ମିକ ସଂସ୍ଥା ବୋଲି କହନ୍ତି ସଦଗୁରୁ । ୧୯୯୨ରେ ଏହାର ପ୍ରତିଷ୍ଠା କରାଯାଇଥିଲା । କୋଏମ୍ବାଟୁରରେ ଇଶା ଫାଉଣ୍ଡେସନର ଆଶ୍ରମ ରହିଛି । ଏଠାରେ ଇଶା ଯୋଗ ନାମକ ଯୋଗ ଶିକ୍ଷା ଦିଆଯାଏ । ଆଶ୍ରମରେ ଅନ୍ତେବାସିନୀଙ୍କୁ ନେଇ ଆଗରୁ ମଧ୍ୟ ବିବାଦରେ ରହିଛି ଫାଉଣ୍ଡେସନ । ପରିବେଶ ନିୟମକୁ ଉଲ୍ଲଂଘନ କରି ଫାଉଣ୍ଡେସନର ଆଶ୍ରମ ଅବୈଧ ଭାବେ ନିର୍ମାଣ ହୋଇଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏହାଛଡା ସଦଗୁରୁଙ୍କ ଗୈରିକ ସଂଗଠନ ପ୍ରତି ଆନୁଗତ୍ୟ ଥିବା ନେଇ ବି ଚର୍ଚ୍ଚା ହୁଏ ।

Leave A Reply

Your email address will not be published.