ଯାଜପୁର: ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଅଟକ । ବିଳମ୍ବିତ ରାତିରେ ଭବ ପ୍ରସାଦ ଦାସଙ୍କୁ ଅଟକ ରଖିଛି ଯାଜପୁର ଟାଉନ ଥାନା ପୋଲିସ । ବିରଜା ହାଟ ବ୍ୟବସାୟୀଙ୍କୁ ଧମକ ଦେବା ନେଇ ଗତକାଲି ଥାନାରେ ଅଭିଯୋଗ କରିଥିଲେ ଜଣେ ବ୍ୟବସାୟୀ ।
ସୂଚନାଯୋଗ୍ୟ, ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ଓ ମା’ ବିରଜା ହାଟରେ ହଙ୍ଗାମା ଘଟଣା ପରଠୁ ଗତ କିଛି ଦିନ ହେବ ବିବାଦ ଘେରକୁ ଆସିଛନ୍ତି ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ । ଗତକାଲି ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ ମାରି ତାଙ୍କ ଠାରୁ ଟଙ୍କା ମାଗିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ । ଏହାପରେ ବଢିଥିଲା ଭବ ଦାସଙ୍କ ଅଡୁଆ । ଭବ ଦାସଙ୍କ ନାଁରେ ଯାଜପୁର ଟାଉନ ଥାନାରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିବା ନେଇ ଜଣାପଡିଛି ।
ଗତ ଗୁରୁବାର ଭବ ଦାସ ଓ ତାଙ୍କ ସମର୍ଥକ ମା ବିରଜା ହାଟରେ ପହଞ୍ଚି ଆକ୍ରମଣ ଓ ଦୋକାନ ସାମଗ୍ରୀ ପରିବାପତ୍ର ଫିଙ୍ଗାଫୋପଡା କରିଥିବା ଅଭିଯୋଗ ଆଣି ତିନି ଜଣ ବ୍ୟବସାୟୀ ଏତଲା ଦେଇଥିଲେ । ସେପଟେ ବିରଜା ହାଟ ନିକଟରେ ରାସ୍ତାରୋକ ସମୟରେ ଦୁର୍ବବ୍ୟହାର ଅଭିଯୋଗ ଆଣି ଏତଲା ଦେଇଥିଲେ ଜଣେ କାର୍ଯ୍ୟରତ ମହିଳା ଏସଆଇ । ଏତଲା ଆଧାରରେ ଟାଉନ ଥାନା ପୋଲିସ ଭବ ପ୍ରସାଦ ଦାସ ଓ ଯାଜପୁର ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକଙ୍କ ସମେତ ୪୮ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ବିଏନଏସ ଧାରା ୧୯୦, ୧୨୬(୨), ୧୩୨, ୨୯୬ ଓ ୩୫୧(୧) ଭଳି ଏକାଧିକ ମାମଲା ରୁଜୁ ହୋଇଛି ।
Comments are closed.