Latest Odisha News

BREAKING NEWS

ନୂଆପଡା କଂଗ୍ରେସ ଅଫିସରେ ଧସେଇ ପଶିଲା ପୋଲିସ

ନୂଆପଡା: ନଭେମ୍ବର ୧୧ ତାରିଖରେ ହେବ ନୂଆପଡା ଉପନିର୍ବାଚନ । ସେଥିପାଇଁ ସବୁ ରାଜନୈତିକ ଦଳ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡିଛନ୍ତି । ବିଜେପି ଦେଢ ବର୍ଷର ସରକାରଙ୍କ ଜନହିତକର କାମ କଥା କହି ଭୋଟ ମାଗୁଥିବାବେଳେ ବିଜେଡି ୨୪ ବର୍ଷର ସରକାରରେ ହୋଇଥିବା କାମ କଥା କହି ଭୋଟ ମାଗୁଛି । ସେହିପରି କଂଗ୍ରେସ ଉଭୟ ଦଳକୁ ବିରୋଧ କରି ଭୋଟ ମାଗୁଛି । ବିଜେପିକୁ ମିଛୁଆ ଭାଷଣର ସରକାର କହିଛନ୍ତି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଓ ମୀନାକ୍ଷୀ ଦାସ ପଟ୍ଟନାୟକ । ଅନ୍ୟପଟେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଚାଲୁଥିବା ବେଳେ ପଶିଥିଲା ପୋଲିସ । ଅଭିଯୋଗ ଥିବାରୁ କଂଗ୍ରେସ ଭବନରେ ପୋଲିସ ପ୍ରବେଶ କରିଥିଲା ବୋଲି କୁହାଯାଇଛି । ପୋଲିସର ଏଭଳି କାର୍ଯ୍ୟକୁ କଂଗ୍ରେସ ନେତା ନାପସନ୍ଦ କରିଛନ୍ତି।

ନୂଆପଡା ଖୁଣ୍ଟିଆ ଭବନରେ କଂଗ୍ରେସର ମୁଖପାତ୍ର ସୋନାଲି ସାହୁ ଜିଲ୍ଲାର ଦାଦନ ସମସ୍ୟା, ଚାଷୀ ସମସ୍ୟାକୁ ନେଇ ଆଲୋଚନା କରୁଥିଲେ । ବିଜେଡି-ବିଜେପି ସରକାର ମିଛରେ ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ନେତାମାନେ କହିଥିଲେ । ଜିଲ୍ଲାରେ ମନରେଗାରେ ଦୁର୍ନୀତି କରାଯାଇ କୋଟିକୋଟି ଟଙ୍କା ଆତ୍ମସାତ ହୋଇଥିବା କୁହାଯାଇଛି । ସେହିପରି ନୂଆପଡାରେ ଦାଦନମୁକ୍ତ କରାଯାଉ ବୋଲି ଦାବି କରାଯାଇଥିଲା ।

ନୂଆପଡାରେ ଉଭୟ ବିଜେଡି ଓ ବିଜେପି କଣ କରିଛନ୍ତି ହିସାବ ଦିଅନ୍ତୁ ବୋଲି ନେତାମାନେ କହିଥିଲେ । ସେହିପରି ଚାଷ ଜମିକୁ ପାଣି ଆସୁନାହିଁ ବୋଲି କୁହାଯାଇଥିଲା । ଏତିକିବେଳେ ହଠାତ କଂଗ୍ରେସ ଭବନରେ ପୋଲିସ ଧସେଇ ପଶିଥିଲା । ଅଚାନକ ପୋଲିସ ପଶି କାହିଁକି ଏତେ ଭିଡ ହୋଇଛି ବୋଲି ପ୍ରଶ୍ନ କରିଥିଲା । ଅନୁମତି ନେଇ ମିଟିଙ୍ଗ କରନ୍ତୁ ବୋଲି କଂଗ୍ରେସ କର୍ମୀଙ୍କୁ ତାଗିଦ କରାଯାଇଥିଲା । ପୋଲିସର ଏଭଳି ଆଚରଣକୁ କଂଗ୍ରେସ ନେତା ସହଜରେ ହଜମ କରିନାହାଁନ୍ତି । ବିଜେଡି-ବିଜେପି ପାର୍ଟି ଅଫିସରେ ପୋଲିସ ଏମତି କେବେ ତଲାସି କରିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଶାସକ ଦଳ ଭୋଟ ହାତେଇବା ପାଇଁ ସବୁ ଉଦ୍ୟମ କରୁଛି । ହେଲେ କଂଗ୍ରେସ ଏହାକୁ ଡରେ ନାହିଁ ବୋଲି ନେତାମାନେ କହିଛନ୍ତି । ଆଗାମୀ ଦିନରେ କଂଗ୍ରେସର ଏଠାରେ ବିଜୟ ସୁନିଶ୍ଚିତ ବୋଲି ନେତାମାନେ କହିଛନ୍ତି । କଂଗ୍ରେସ ଭବନରେ ପୋଲିସର ଏଭଳି ପ୍ରବେଶକୁ ନିନ୍ଦା କରାଯାଇଛି । ନୂଆପଡାରେ ଭୋଟ ହାତେଇବା ପାଇଁ ସବୁ ଦଳ ଚାହୁଁଛନ୍ତି । କଂଗ୍ରେସ ପାର୍ଟି ଅଫିସରେ ପୋଲିସ ଏମିତି କାହିଁକି କଲା ବୋଲି ପ୍ରଶ୍ନ କରାଯାଇଛି ।

Comments are closed.