Latest Odisha News

BREAKING NEWS

ପୋଲିସ-ଓକିଲ ବିବାଦ: ହାଇକୋର୍ଟଙ୍କ ଶୁଣାଣି ନଭେମ୍ବର ୧୫କୁ ଘୁଞ୍ଚିଲା

କଟକ: ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ବହୁ ଚର୍ଚ୍ଚିତ ପୋଲିସ-ଓକିଲ ଶୁଣାଣି ମଙ୍ଗଳବାର ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଆଜି ଶୁଣାଣି ହୋଇପାରିଲା ନାହିଁ । ଏହି ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ ହୋଇନପାରିବା ଯୋଗୁଁ ମଙ୍ଗଳବାର ଦିନ ଶୁଣାଣି ହୋଇପାରିନଥିବା ସୂଚନା ମିଳିଛି । ଆସନ୍ତା ନଭେମ୍ବର ୧୫ ତାରିଖକୁ ହାଇକୋର୍ଟ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ।

ଚାର୍ଜସିଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସରକାରୀ ଓକିଲ ଆଉ ୨ ସପ୍ତାହ ଅଦାଲତଙ୍କୁ ଅନୁରୋଧ କରିଥିଲେ । ତେବେ ‘ଓଡ଼ିଶା ବାର୍ ଆସୋସିଏସନ’ ଆଇନଜୀବୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହେବାରୁ ବିଚାରପତି ମୁଖ୍ୟ ବିଚାରପତି ଜଷ୍ଟିସ କେ ଏସ ଜାଭେରୀ ଏହି ମାମଲାର ଶୁଣାଣି ନଭେମ୍ବର ୧୫ ତାରିଖକୁ ଘୁଞ୍ଚାଇଥିଲେ ।

ଓଡ଼ିଶା ହାଇକୋର୍ଟର ଖଣ୍ଡପୀଠ ସୋମବାର ଦିନ ଏହି ମାମଲାରେ ଅଭିଯୁକ୍ତ ୩ଜଣ ପୋଲିସ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହାରକୁ କାର୍ଯ୍ୟକାରୀ ନ’କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅଗଷ୍ଟ ୨୮ ତାରିଖରେ ପୋଲିସ ପକ୍ଷରୁ ଆକ୍ରମଣ ହୋଇଥିବା ନେଇ ଓକିଲଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା, ଏବଂ ପରବର୍ତ୍ତୀ ସମୟରେ ୨ଜଣ କନଷ୍ଟେବଳ ଏବଂ ଜଣେ ହୋମଗାର୍ଡ଼ଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ ପୂର୍ବରୁ ହାଇକୋର୍ଟ ବାର୍ ଆସୋସିଏସନ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହି ବିବାଦ ସମ୍ପର୍କୀତ ମାମଲା ନେଇ ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ ହେବାର ଥିଲା । ତେବେ କ୍ରାଇମବ୍ରାଞ୍ଚ ତରଫରୁ ଚାର୍ଜସିଟ ଦାଖଲ ନ’ହୋଇପାରିବା ଯୋଗୁଁ ଏହି ମାମଲାର ଶୁଣାଣି ମଙ୍ଗଳବାରକୁ ଘୁଞ୍ଚାଇଦିଆଯାଇଛି ।

ଅନ୍ୟପକ୍ଷରେ ମଙ୍ଗଳବାର ଦିନ ଜଷ୍ଟିସ ସି ଆର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନ୍ୟ ଏକ ଖଣ୍ଡପୀଠରେ ପୋଲିସ ଆକ୍ରମଣ ବିରୋଧରେ ମାମଲା ରୁଜୁ କରିଥିବା ଆଇନଜୀବୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ବିଚାରର ଚୂଡ଼ାନ୍ତ ଶୁଣାଣି ନଭେମ୍ବର ୧୪ ତାରିଖରେ କରିବାକୁ ତାରିଖ ଧାର୍ଯ୍ୟ କରିଥିଲେ ।

ଓଡ଼ିଶା ହାଇକୋର୍ଟ ଅକ୍ଟୋବର ୩୦ ତାରିଖ ଦିନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ନଭେମ୍ବର ୯ ତାରିଖ ସୁଦ୍ଧା ତଦନ୍ତ ସମାପ୍ତ କରି ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟର ୍ସ୍ଥାୟୀ ବିଚାରପତି ଜଷ୍ଟିସ ସି ଆର ଦାସଙ୍କୁ ଏହି କ୍ରାଇମବ୍ରାଞ୍ଚର କାର୍ଯ୍ୟଧାରା ସହିତ ମାମଲାର ତଦାରଖ କରିବାକୁ ନ୍ୟସ୍ତ ହୋଇଥିଲେ । ଏହି ମାମଲାର ଦଦନ୍ତକାରୀ ଅଫିସର ପ୍ରତ୍ୟେକଦିନ ଜଷ୍ଟିସ ସି ଆର ଦାସଙ୍କୁ ଅଗ୍ରଗତି ସମ୍ପର୍କରେ ଅବଗତ କରିବାକୁ ନିର୍ଦ୍ଦେଶ ମଧ୍ୟ ରହିଥିଲା ।

ଅଦାଲତରେ ଆଇଜି ଅରୁଣ ବୋଥ୍ରା ଉପସ୍ଥିତ ପୂର୍ବରୁ ରହି ଏହି ମାମଲାର ତଦନ୍ତ ଶେଷ ହୋଇ ଚାର୍ଜସିଟ ଦାଖଲ ହେବାକୁ ଅତିକମରେ ୬ମାସ ସମୟ ମାଗିଥିଲେ ।

ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି, ନଭେମ୍ବର ୧୧ ତାରିଖ ଦିନ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ଆର ପି ଶର୍ମା ଏବଂ ହାଇକୋର୍ଟ ବାର୍ ର ଆଇନଜୀବୀଙ୍କ ମଧ୍ୟରେ ଏକ ଅନୌପଚାରିକ ବୈଠକ ଅନୁଷ୍ଠିତ ହୋଇଛି । ଫଳରେ ଏହି ମାମଲାର ଅନ୍ତ ଘଟି ଏକ ସକାରାତ୍ମକ ନିଷ୍କର୍ଷ ବାହାରିବାକୁ ଯାଉଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.