ଭୁବନେଶ୍ବର: କୌଣସି ସର୍ଚ୍ଚ ୱାରେଣ୍ଟ ନଥାଇ ବିନା ଅନୁମତିରେ ବିଜେଡ଼ି ନେତା ପ୍ରୀତିରଞ୍ଜନ ଘଡ଼ାଇଙ୍କ ଘର ଯାଞ୍ଚ କରାଯାଇଥିଲା। ବେଆଇନ ଭାବେ ତାଙ୍କ ଘରକୁ ପ୍ରବେଶ କରିଥିବା ଅଭିଯୋଗରେ ECI ଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ବିଜେଡି ନେତା। ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ।
ସୂଚନାଥାଉକି, ନିକଟ ଅତୀତରେ ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇଙ୍କ ଘରେ ପୋଲିସ ଚଢ଼ାଉ କରିଥିଲା। ନୂଆପଡା ଖରିଆର୍ ରୋଡରେ ଥିବା ତାଙ୍କ ବାସଭବନରେ ପୋଲିସ ଚଢାଉ କରିଥିଲା। ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ପ୍ରୀତିରଞ୍ଜନ ଥିବା ବେଳେ ତାଙ୍କ ଘରେ ଚଢ଼ାଉ କରିଥିଲା ପୋଲିସ। ସେତେବେଳେ ପୋଲିସର ଅତର୍କିତ ଚଢ଼ାଉକୁ ନେଇ ବିଜେଡି କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଜେପି ଜାଣିଶୁଣି ଏପରି କରୁଥିବା ବିଜେଡି କର୍ମୀମାନେ ଅଭିଯୋଗ କରିଥିଲେ।
ନୂଆପଡା ଉପନିର୍ବାଚନ ସମୟରେ ଜଣେ ଦକ୍ଷ ବିଜେଡି ନେତାଙ୍କ ଘରେ ଏଭଳି ଚଢାଉ କରାଯିବା ପରେ ପ୍ରଶ୍ନ ଉଠାଇଥିଲା ବିଜେଡି। ଉପନିର୍ବାଚନ ସମୟରେ କୌଣସି ଖବର ପାଇ ପୋଲିସ ଓ ଜିଲ୍ଲାପାଳ ଚଢ଼ାଉ କରିବାକୁ ଯାଇଥିବା ବେଳେ ଘରେ ପ୍ରୀତିରଞ୍ଜନ ନଥିବାରୁ ଫେରିଆସିଥିଲେ। ତେବେ କୌଣସି ସର୍ଚ୍ଚ ଓ୍ବାରେଣ୍ଟ ବିନା ପ୍ରୀତିଙ୍କ ଅନୁପସ୍ଥିତିରେ ତାଙ୍କ ଘରକୁ ପ୍ରବେଶ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଇସିଆଇଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ଅନ୍ୟପଟେ ନୂଆପଡା ଉପନିର୍ବାଚନ ଅବାଧ, ନିରପେକ୍ଷ ନିର୍ବାଚନ ହେଉ, ନିର୍ବାଚନୀ ଆଇନ ଉଲ୍ଲଘଂନ କରିଥିବା ସରକାରୀ ଅଧିକାରୀଙ୍କ ଉପରେ ECI କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କହିଲା ବିଜେଡି।
Comments are closed.