କାନପୁର: ମନ୍ଦିର ବାହାରେ ଚପଲ ଚୋରି ହେବା କିଛି ନୁଆଁ କଥା ନୁହେଁ । କିନ୍ତୁ ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହେବା ଓ ମାମଲାକୁ ଗୁରୁତର ସହନେଇ ପୋଲିସ ଛାନ୍ବିନ୍ କରିବା ସବୁଠୁ ବଡ଼ କଥା । କାନପୁରରେ ଜଣେ ବ୍ୟକ୍ତିଙ୍କ ମନ୍ଦିର ବାହାରେ ରଖିଥିବା ଚପଲ ଚୋରି ହୋଇଯିବାରୁ ସେ ଥାନାରେ ଏତଲା ଦେଇଛନ୍ତି । ଆଉ ପୋଲିସ ମାମଲା ରୁଜୁ କରି ତଦନ୍ତ ବି ଚଳାଇଛି ।
କାନପୁରର ଦବାଉଲି ନିବାସୀ କ୍ରାନ୍ତି ଶରଣ ନିଗମ । ସ୍ଥାନୀୟ ଗୁୱାଲଟୋଲି ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ମନ୍ଦିରକୁ ପୂଜା କରିବା ଯାଇଥିଲେ । କ୍ରାନ୍ତି ଶରଣ ମନ୍ଦିର ବାହାରେ ଚପଲ ରଖି ମନ୍ଦିର ଭିତରକୁ ଯାଇଥିଲେ । ମନ୍ଦିର ପରିଦର୍ଶନ କରିବା ପରେ ବାହାରକୁ ଆସି ଦେଖିଲା ବେଳକୁ ତାଙ୍କ ଚପଲ ସେଠାରେ ନ ଥିଲା । ମନ୍ଦିର ଚାରିପଟେ ଖୋଜାଖୋଜି କଲେ । ହେଲେ ପାଇଲେ ନାହିଁ । ଶେଷରେ ଖାଲି ପାଦରେ ଘରକୁ ଫେରିଲେ । ଏଥିରେ ସେ ଏତେ ଆଘାତ ପାଇଥିଲେ ଯେ, ସେ ହଜିଯାଇଥିବା ଚପଲ ପାଇବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ।
ଏନେଇ କ୍ରାନ୍ତି ଶରଣ ଅନ୍ଲାଇନ୍ରେ ଏଫ୍ଆଇଆର୍ ଦାଖଲ କଲେ । ଯେଉଁଥିରେ ସେ ତାଙ୍କ ଚପଲ ହଜିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏଫଆଇଆରରେ କ୍ରାନ୍ତି ଶରଣ ଲେଖିଛନ୍ତି ଯେ, ସକାଳ ୮ଟାରେ ନିକଟସ୍ଥ ମନ୍ଦିରକୁ ଯାଇଥିଲେ । ସେଠାରେ ତାଙ୍କର ନୀଳ ରଙ୍ଗର ଚପଲକୁ ଫୁଲ ଦୋକାନ ପାଖରେ ରଖି ମନ୍ଦିର ଭିତରକୁ ଯାଇଥିଲେ । ନିଜ ପରିଶ୍ରମ ଟଙ୍କାରେ ସେ ଏହି ଜୋତା କିଣିଥିଲେ । ହେଲେ ଏହି ଚପଲକୁ କୌଣସି ଦୁର୍ବୃତ୍ତ ଚୋରିକରି ନେଇଛନ୍ତି । ତୁରନ୍ତ ଚପଲ ଚୋରକୁ ଧରିବା ସହ ମୋ ଚପଲ ଖୋଜି ବାହାର କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି ।
ପୋଲିସ ତାଙ୍କର ଏହି ଅନଲାଇନ୍ ଏଫ୍ଆଇଆର୍ ପଞ୍ଜୀକୃତ କରିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଅଭିଯୋଗ ପୋଲିସର ଇ-ଷ୍ଟେସନ ଦାୟିତ୍ୱରେ ଥିବା ସବ-ଇନ୍ସପେକ୍ଟର ରାଜେଶ କୁମାରଙ୍କ ନିକଟରେ ପହଞ୍ଚିଛି । ଏବେ ପୋଲିସ ଚପଲ ଚୋରକୁ ଖୋଜିବା ପାଇଁ ତନାଘନା ଜାରି ରଖିଛି ।
Comments are closed.