Latest Odisha News

ପୋଲିସର ବଡ଼ ସଫଳତା; ବାଇକ ଚୋର ଗ୍ୟାଙ୍ଗ ଗରିଫ, ୬ଟି ଦାମି ମୋଟରସାଇକେଲ ଜବତ

ଅନୁଗୁଳ: ଅନୁଗୁଳ ପୋଲିସକୁ ପୁଣି ଏକ ବଡ଼ ସଫଳତା। ଏକ ମୋଟରସାଇକେଲ ଚୋର ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ୬ଟି ଦାମି ମୋଟରସାଇକେଲକୁ ପୋଲିସ ଜବତ କରିଛି। ଏହି ୫ ଜଣିଆ ଗ୍ୟାଙ୍ଗରେ ଦୁଇଜଣ ନାବାଳକ ଅଛନ୍ତି। ଯେଉଁମାନେ କି ମୋଟରସାଇକେଲ ଚୋରିର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି।

ଗତ କିଛିଦିନ ଧରି ଅନୁଗୁଳ ସଦର ଥାନା ଅନ୍ତର୍ଗତ ବିଭିନ୍ନ ଥାନା ଅଞ୍ଚଳରେ ଲଗାତାର ମୋଟରସାଇକେଲ ଚୋରି ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଥିଲା। ଦିନକୁ ଦିନ ମୋଟରସାଇକେଲ ଚୋରଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଚୋରଙ୍କୁ ଧରିବା ନିମନ୍ତେ ବିଭାଗର ବରିଷ୍ଠ ଅଧିକାରୀ ଓ ଦକ୍ଷ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ପରେ ଚୋରି ଘଟଣାକୁ ତର୍ଜମା କରିବା ସହ ଘଟଣାରେ ସଂପୃକ୍ତ ଦୁଇ ନାବାଳକଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ଟିମ। ସେମାନଙ୍କୁ ଅଧିକ ଜେରା କରିବାପରେ ଅନ୍ୟ ତିନି ଜଣ ଚୋରି ଘଟଣାରେ ସାମିଲ ଥିବା ଜଣାପଡିଥିଲା। ଦୁଇ ନାବାଳକଙ୍କ ସହ ୫ଜଣଙ୍କୁ ଧରି ପଚରାଉଚରା ପରେ ସେମାନେ ଅନୁଗୁଳ ସଦର ଥାନା, ବଅଁରପାଳ ଓ ବନ୍ତଳା ଥାନା ଅଞ୍ଚଳରୁ ଗାଡ଼ି ଚୋରି କରିଥିବା ଜାଣିବାକୁ ପାଇଥିଲା ପୋଲିସ।

ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଗ୍ୟାଙ୍ଗର ସଦସ୍ୟ ପ୍ରଥମେ କାହାର ଗାଡି ଚୋରି କଲେ ସନ୍ଦେହ ଘେରକୁ ନଆସିବେ ସେଭଳି ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ। ଗ୍ୟାଙ୍ଗର ଦୁଇ ସଦସ୍ୟ ମୋଟରସାଇକେଲ ତାଲା ଭାଙ୍ଗିବା ପରେ ଚୋରି ସ୍ଥାନରୁ ଧରି ପଳାଉଥିଲେ। ତାଲା ଭାଙ୍ଗି ଗାଡି ଚୋରି କରିବା ସମୟରେ ଅନ୍ୟ ସଦସ୍ୟମାନେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉଥିଲେ। ଚୋରି ଗାଡିକୁ ପରେ ବିକ୍ରି କରି ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ ଗ୍ୟାଙ୍ଗର ସଦସ୍ୟ।

Leave A Reply

Your email address will not be published.