Latest Odisha News

Police SI-Scam: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ; ସିଲିକନ୍ ଟେକ୍‌ଲ୍ୟାବ ସିଇଓକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

କଟକ: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲାରେ ଆଉ ଜଣେ ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ସୁରେଶ ନାୟକଙ୍କୁ ଆଜି କଟକ କ୍ରାଇମବ୍ରାଞ୍ଚ ଗିରଫ କରିଛି । କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସୁରେଶକୁ ସାମ୍ନାସାମ୍ନି ଜେରା କରୁଛି ।

ଗତକାଲି ନେପାଳ ସୀମା ଉତ୍ତରାଖଣ୍ଡରୁ ଧରାହୋଇ ଭୁବନେଶ୍ବର ଓ ପରେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଯାଇଛି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି । ଧରାପଡିବା ପରେ ନିଜର କିଛି ଦୋଷ ନଥିବା କହିଛି ଶଙ୍କର । ତାକୁ ଗିରଫ କରାଯାଇନି ବରଂ ସେ ଆତ୍ମସମର୍ପଣ କରିଥିବା ଦାବି କରିଛି । ଶଙ୍କର କହିଛି ଯେ ମୁଁ ଲୁଚି ନଥିଲି। ଆଇନ ପ୍ରକ୍ରିୟାକୁ ସମ୍ମୁଖୀନ ହେଉଥିଲି । ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲି । ମୋତେ ସମୟ ଦିଆଯାଇଥିଲା, ମାସକ ପରେ ହାଜର ହୋଇଥାଆନ୍ତି ।

ଏହା ସହ ସେ ପୂର୍ବ ସରକାରରେ ହଜା‌ରେ କୋଟିର ଡିଲ୍‌ ହୋଇଥିବା କାଲି ତାର ବୟାନ ରେ କହିଛି । ଆଉ ଖୁବ୍‌ଶୀଘ୍ର ସବୁ ଗୁମର ଖୋଲିବ। ସରକାରଙ୍କୁ ସବୁ ତଥ୍ୟ ଦେବି ବୋଲି ସେ କ୍ରାଇବ୍ରାଞ୍ଚକୁ କହିଛି । ଶଙ୍କରର ଏହି ଚାଞ୍ଚଲ୍ୟକର ବୟାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଏହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି ମଧ୍ୟ ହୋଇଛି । ଆଗକୁ ନୂଆପଡ଼ା ଉପନିର୍ବାଚନ ଥିବାରୁ ଶଙ୍କରର ବୟାନକୁ ରାଜନୈତିକ ମହଲରେ ଗୁରୁତ୍ବର ସହ ନିଆଯାଉଛି ।

 

Comments are closed.