ବାରିପଦା:ମାନୁ ନାହାନ୍ତି ଠିକା ବନ କର୍ମଚାରୀ । ଯେତେ ବୁଝାଇଲେ ବୁଝୁ ନାହାନ୍ତି । ତେଣୁ ଆଗକୁ ପୋଲିସ ଜଗିବ ଶିମିଳିପାଳ । ଆଜିଠୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ଅନ୍ତର୍ଗତ ଶିମିଳିପାଳରେ ପାଟ୍ରୋଲିଂ କରିବ ପୁଲିସ। ୧୬ଟି ରେଞ୍ଜରେ ୩୦ ଜଣ ପୁଲିସ କର୍ମଚାରୀ ପାଟ୍ରୋଲିଂ କରିବେ। । ଏନେଇ ଆଜି ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗଗନେଇ।
୬ ଶହ ସୁରକ୍ଷା ସହାୟକ ବା ଠିକା ବନ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବା ପରେ ଶିମିଳିପାଳ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ଏହି କର୍ମଚାରୀମାନେ ଗତକାଲି ଠାରୁ ଚାକିରିରେ ଅନୁପସ୍ଥିତ ଅଛନ୍ତି। ତାଙ୍କ ସହ ବନ କର୍ମଚାରୀମାନେ ଚାକିରିକୁ ଆସୁନାହାନ୍ତି।
ତେଣୁ ମୟୂରଭଞ୍ଜ ଏସ୍ପିଙ୍କୁ ପାଟ୍ରୋଲିଂ ନିମନ୍ତେ ଆବଶ୍ୟକ ଫୋର୍ସ ଯୋଗାଇ ଦେବାକୁ ସହାୟତା ମଗା ଯିବା ପରେ ସେ ଯଶିପୁର, ଉଦଳା, ଖୁଣ୍ଟା ଥାନାରୁ ୩୦ ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ ହୋଇଛନ୍ତି। ଏହି ପୋଲିସ କର୍ମଚାରୀମାନେ ଅତି ସମ୍ୱେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ କରିବେ। ଏହାବାଦ୍ ପୁଲିସ ପକ୍ଷରୁ ଆଉ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ଦେବା ପାଇଁ ମଧ୍ୟ ଆଲୋଚନା ହୋଇଛି। ମୋଟ ୧୨୧ ଜଣ ପୁଲିସ ଫୋର୍ସ ମିଳିବା ପରେ ସେମାନଙ୍କୁ ରଖି ପାଟ୍ରୋଲିଂ କରାଯିବ।
ଶିମିଳିପାଳରେ ମୋଟ ୧୬ଟି ରେଞ୍ଚ ରହିଛି। ଏହାକୁ ଦୁଇଟି ଡିଭିଜନ କରାଯାଇଛି। ଜଙ୍ଗଲ ଜଗିବାକୁ ୬୦୦ରୁ ଅଧିକ କର୍ମଚାରୀ ଆବଶ୍ୟକ ଥିଲେ ହେଁ ସେମାନଙ୍କ ସ୍ଥାନରେ ପ୍ରାୟ ୩୦୦ ପୁଲିସ କର୍ମଚାରୀ କାମ କରିବେ। ତେବେ ଜଙ୍ଗଲ ବିଭାଗ କର୍ମଚାରୀ ଏମାନଙ୍କ ସହ ମିଶିଗଲେ ଜଙ୍ଗଲ ସୁରକ୍ଷା ଓ ଦେଖାରଖା କାମ ଠିକ୍ ଚାଲିପାରିବ ବୋଲି ଅନୁମାନ କରାଯାଉଛି ।
ସୂଚନାଥାଉ କି, ଆନ୍ଦଳନରତ ଠିକା ବନ କର୍ମଚାରୀମାନେ ମୋଟ ୭ଟି ଦାବି ରଖିଛନ୍ତି। ଯାହା ଭିତରେ କର୍ମଚାରୀଙ୍କୁ ସ୍ଥାୟି କରିବାକୁ ନେଇ ଗୋଟିଏ ଦାବି ରହିଛି। ହେଲେ ଏହି ବ୍ୟବସ୍ଥା ବନ ବିଭାଗ ଅଧୀନରେ ନାହିଁ ବୋଲି ଆନ୍ଦାଳନରତ କର୍ମଚାରୀଙ୍କୁ ବୁଝାଇ ଦିଆଯାଇଛି। ବାକି ଦାବିଗୁଡ଼ିକୁ ଧିରେଧିର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
Comments are closed.