ଭଦ୍ରକ: ସୋସିଆଲ ମିଡିଆ ୟୁଜର୍ସମାଙ୍କୁ ସତର୍କ କରାଇଲା ଭଦ୍ରକ ପୋଲିସ । ଯଦି କେହି ବି ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ, ଅଡିଓ କିମ୍ବା ସାମ୍ପ୍ରଦାୟିକ ସଦ୍ଭାବନା କ୍ଷୁଣ୍ଣ ହେଲା ଭଳି ମନ୍ତବ୍ୟ ପୋଷ୍ଟ କରନ୍ତି ତେବେ ଯେକୌଣସି ସମୟରେ ଗିରଫ କରିବ ଭଦ୍ରକ ପୋଲିସ ବୋଲି ଆଜି ଜିଲ୍ଲା ପୁଲିସ ପକ୍ଷରୁ ଆଡ୍ଭାଇଜରି ଜାରି ହୋଇଛି ।

ଏଭଳି ନ କରିବାକୁ ପୋଲିସ ନିବେଦନ କରିଛି । ଏପରି କାର୍ଯ୍ୟ ଭାରତୀୟ ନ୍ୟାୟ ସଂହିତାର ଧାରା 353(2)ଓ 299 ଅନୁଯାୟୀ ଦଣ୍ଡନୀୟ ଅପରାଧ । ଯଦି କେହି ଏପରି କରୁଛି ତା ଉପରେ ନଜର ରଖାଯାଇଥିବା କୁହାଯାଇଛି । ଏଭଳି ମନ୍ତବ୍ୟ କାହା ନଜରକୁ ଆସିଲେ ଜିଲ୍ଲା ପୋଲିସକୁ ଜଣାଇବାକୁ କୁହାଯିବା ସହ ଏଥିପାଇଁ ଫୋନ ନମ୍ବର ୮୪୮୦୬୯୩୭୯୧ ଜାରି କରାଯାଇଛି ।
ଏହି ନମ୍ବର ମାଧ୍ୟମରେ ସମ୍ପୃକ୍ତ ପୋଷ୍ଟ ଲିଙ୍କ୍, ସ୍କ୍ରିନ୍ସଟ୍ ବା ମନ୍ତବ୍ୟ ପଠାଇ ପାରିବେ । ସୂଚନାଦାତାଙ୍କ ନାମ ଓ ଠିକଣା ଗୋପନ ରଖାଯିବ । ପୋଲିସର ଏଭଳି ପ୍ରୟାସକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।