Latest Odisha News

ରାଜନୀତିର ୫୫ ବର୍ଷ, ମୁଲାୟମ ଯେବେ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦେଶର ହିନ୍ଦୀ ଭାଷାଭାଷୀ ଅଞ୍ଚଳର ରାଜନୀତିରେ ୫ ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରିୟ ଥିଲେ ମୁଲାୟମ ସିଂ ଯାଦବ । ୫୫ ବର୍ଷର ଲମ୍ବା ରାଜନୈତିକ ଜୀବନ ଭିତରେ ମୁଲାୟମ ପ୍ରଧାନମନ୍ତ୍ରୀ ହେଉ ହେଉ ଅଟକି ଯାଇ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ୭ ଥର ସାଂସଦ ରହିଥିବା ମୁଲାୟମ ୮ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୩ ଥର ହୋଇଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ।

ମୁଲାୟମଙ୍କ ୫୫ ବର୍ଷର ରାଜନୈତିକ ଯାତ୍ରାରେ ବେଶ ଉତ୍ଥାନ ପତନ ଘଟିଛି । ୟୁପିର ଗୋଟିଏ ସାଧାରଣ ଚାଷୀ ପରିବାରରୁ ଆସି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ଶୀର୍ଷ ପହଞ୍ଚିବା କାହାଣୀ ବେଶ୍ ରୋମାଞ୍ଚଭରା । ଇନ୍ଦିରା-ରାଜୀବ ଏବଂ ଅଟଳ-ଆଡ଼ଭାନୀଙ୍କ ସମୟରେ ମୁଲାୟମ ନିଜ ଦକ୍ଷ ନେତୃତ୍ୱ ବଳରେ ପରିଚୟ ସୃଷ୍ଟି କରି ପାରିଥିଲେ । କହିବାକୁ ନେତାଜୀଙ୍କ ଜୀବନ ଥିଲା ଗୋଟିଏ ଯୁଗ ।

୧୯୬୭ରେ ପ୍ରଥମଥର ବିଧାୟକ ଭାବେ ୟୁପିର ଯଶୱନ୍ତନଗର ଆସନରୁ ନିର୍ବାଚିତ ହୋଇଥିଲେ ମୁଲାୟମ । ତା ପରେ ସେ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ୧୯୭୪ରେ ପୁଣି ସେହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭ରେ ଭାରତୀୟ ଲୋକ ଦଳ ଟିକଟରେ ପୁଣି ବିଧାୟକ ହୋଇଥିଲେ ମୁଲାୟମ ।

୧୯୮୫, ୧୯୮୯, ୧୯୯୧ ଓ ୧୯୯୩ରେ ମୁଲାୟମ ଯଶୱନ୍ତନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିଭଳି ୭ ଥର ସାଂସଦ ହୋଇଥିଲେ ମୁଲାୟମ । ୧୯୯୬ରେ ମୈନପୁରୀ ଲୋକସଭା ଆସନରୁ ପ୍ରଥମଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏଥିସହ ତାଙ୍କ ନାଁ ପ୍ରଧାନମନ୍ତ୍ରୀ ରେସକୁ ଆସିଥିଲା । ୧୯୯୬ରେ ହୋଇଥିବା ଲୋକସଭା ନିର୍ବାଚନ ହାରିଥିଲା କଂଗ୍ରେସ ।

ଏହାପରେ ଅଟଳ ବାଜପେୟୀ ପ୍ରଧାନମନ୍ତ୍ରୀ ଶପଥ ନେଇଥିଲେ ମଧ୍ୟ ବିଜେପି ପାଖରେ ବହୁମତ ନଥିଲା । ୧୬୧ଟି ସିଟ୍ ବିଜେପି ଜିତିଥିବା ବେଳେ ମାତ୍ର ୧୩ ଦିନ ପରେ ବାଜପେୟୀ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୧୪୧ଟି ଆସନ ଜିତିଥିବା କଂଗ୍ରେସ ମହାମେଣ୍ଟ ସରକାର ଗଠନ ସପକ୍ଷରେ ନଥିଲା । ଏହାପରେ ଅନ୍ୟ ଦଳ ସରକାର ଗଠନ ପାଇଁ ପ୍ରୟାସ କରିଥିଲେ । ଯେଉଁଥିରେ ଲାଲୁ ଯାଦବଙ୍କ ସହ ଚର୍ଚ୍ଚାରେ ଥିଲା ମୁଲାୟମଙ୍କ ନାଁ ।

ଲାଲୁ ଯାଦବ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଫସିବା ପରେ ମୁଲାୟମ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ଥିଲା । କିନ୍ତୁ, ଲାଲୁ ଯାଦବଙ୍କ ସହ ଶରଦ ପାୱାର, ମୁଲାୟମଙ୍କୁ ବିରୋଧ କରିଥିଲେ । ଫଳରେ ପ୍ରଧାନମନ୍ତ୍ରୀ ରେସରୁ ଆଉଟ୍ ହୋଇଥିଲେ ମୁଲାୟମ ସିଂ ଯାଦବ । ୟୁନାଇଟେଡ୍ ଫ୍ରଣ୍ଟ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ ମୁଲାୟମ । ତେବେ ଏହି ସରକାର ୧୯୯୮ରେ ଭାଙ୍ଗି ଯାଇଥିଲା ।

Leave A Reply

Your email address will not be published.