ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ। ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ। ହେଲେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଏବେ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। କାରଣ ବିଜେଡି ଏହି ନିର୍ବାଚନରେ ଭାଗ ନେବନି ବୋଲି ସ୍ପଷ୍ଟ କରିଛି। ଏନେଇ ସୋସିଆଲ ମିଡିଆରେ ‘X’ରେ ସମାଲୋଚନା କଲେ ତଥାଗତ ସତପଥୀ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ନ ଦେବାକୁ ନିଷ୍ପତ୍ତି କରିବା ପ୍ରସଙ୍ଗରେ ବିଜୁ ଜନତା ଦଳକୁ ତେରଛା ବାଣ ମାରିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥୀ । ଏହା ପଲିଟିକାଲ ସୁଇସାଇଡ୍ ବୋଲି ସେ କହିଛନ୍ତି ।
ଏକ୍ସରେ ସେ ଲେଖିଛନ୍ତି, ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ସମ୍ପୂର୍ଣ୍ଣ ରାଜନୈତିକ ଅସ୍ତିତ୍ୱ ହରାଉଛି। ଯାହା କିଛି ଅସ୍ତିତ୍ୱ ବାକି ଥିଲା, ସବୁ ହରାଉଛି। ଆଜିର ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନେବ ନାହିଁ। ବିଜେଡିର ୭ ରାଜ୍ୟସଭା ସାଂସଦ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ନାହିଁ। NDA ଓ UPA ଠାରୁ ସମଦୂରତା ଦ୍ବାହି ଦେଇ ନବୀନ ପଟ୍ଟନାୟକ ଏପରି ନିଷ୍ପତ୍ତି ନେଇଛନ୍ତି।
ଅନ୍ୟପଟେ ଆଜି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। NDA ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ଓ ଇଣ୍ଡିମେଣ୍ଟର ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ହେବକୁ ଯାଉଛି କଡା ଟକ୍କର। ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଦେବେ ଭୋଟ୍। ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍ ବିଜେପି ନେତୃତ୍ୱାଧୀନ NDA ପ୍ରାର୍ଥୀ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ବି. ସୁଦର୍ଶନ ରେଡ୍ଡୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଣ୍ଟ ପ୍ରାର୍ଥୀ। ଉଭୟ ଲୋକସଭା ଓ ରାଜ୍ୟସଭାରେ ଏନଡିଏର ଅଧିକ ସଦସ୍ୟ ରହିଛନ୍ତି।
ଏବେ ଲୋକସଭାରେ ଏନ୍ଡିଏର ୨୯୩ ଜଣ ସଦସ୍ୟ ରହିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନର ଇଲେକ୍ଟୋରାଲ୍ କଲେଜରେ NDAର ସଂଖ୍ୟା ଗରିଷ୍ଠତା ଅଛି। ରାଜ୍ୟସଭାର ୨୩୯ ଆସନ ମଧ୍ୟରୁ NDAର ୧୩୨ ଜଣ ସମର୍ଥକ ଅଛନ୍ତି। ବିଜେଡିର ୭ ଓ ବିଆର୍ଏସ୍ର ୪ ରାଜ୍ୟସଭା ସଭ୍ୟଙ୍କ ମତଦାନରୁ ବିରତ ରହିବେ। ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୩୮୬ ସଭ୍ୟଙ୍କ ସମର୍ଥନ ଆବଶ୍ୟକ। ଉଭୟ ଲୋକସଭା ଓ ରାଜ୍ୟସଭାରେ NDAର ୪୨୫ ସଭ୍ୟ ରହିଛନ୍ତି। ଏହା ସହ ଜଗନମୋହନ ରେଡ୍ଡୀଙ୍କ ୱାଇଏସ୍ଆରସିପି ସମର୍ଥନ ଦେବ। ଜଗଦୀପ ଧନଖଡ଼ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦବୀ ଖାଲି ପଡ଼ିଛି। ସୂଚନା ଥାଉକି ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ ତାରିଖରେ ଜଗଦୀପ ଧନଖଡ଼ ଦେଇଥିଲେ ଇସ୍ତଫା।
Comments are closed.