Latest Odisha News

ନିର୍ବାଚନ ଆସନ୍ନ ବେଳେ ଦଳ ବଦଳ କରୁଥିବା ପରିବାରକୁ ଆକ୍ରମଣ? ବାଦ ପଡିଲେନି ଛୋଟ ପିଲା

ଭଦ୍ରକ: ଯଦିଓ ଏବେ ପାଗ ଶୀତୁଆ ରହିଛି ହେଲେ ନିର୍ବାଚନ ଆସନ୍ନ ବେଳେ ସାମାଜିକ ସ୍ଥିତି ଉଷ୍ମ ରହିଛି। କାରଣ ଦଳ ବଦଳ କରିବାକୁ ଯାଉଥିବା ଏକ ପରିବାର ରାଜନୈତିକ ଶତ୍ରୁତା କାରଣରୁ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଯେଉଁଥିରେ ଦୁଇ ଜଣ ଛୋଟ ପିଲା ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବପୁର ଥାନା ଚିରାଲା ଗ୍ରାମର ଉପେନ୍ଦ୍ର ମଲ୍ଲିକଙ୍କ ପରିବାର ଲୋକେ ବିଜେପିରେ ଯୋଗ ଦେବାକୁ ଚାହୁଁଥିଲେ। ଗୁରୁବାର ରାତିରେ ଅଞ୍ଚଳର କିଛି ବିଜେପି କର୍ମୀ ଉପେନ୍ଦ୍ରଙ୍କ ଘରକୁ ଆସି ତାଙ୍କ ପରିବାର ସହ ଦଳରେ ଯୋଗ ଦେବା ନେଇ ବୈଠକ କରିଥିଲେ। ବିଜେପି କର୍ମୀମାନେ ସେଠାରୁ ଚାଲିଯିବା ପରେ କିଛି ଅଜଣା ବ୍ୟକ୍ତି ଉପେନ୍ଦ୍ରଙ୍କ ଘରେ ବଳପୂର୍ବକ ପଶି ତାଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ପରିବାରର ଦୁଇ ଜଣ ନାବାଳିକାଙ୍କୁ ଛାଡି ନଥିଲେ। ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବିଜେପିକୁ ନ କହିବାକୁ ଧମକ ଦେଇଥିଲେ।

ପରେ ଗ୍ରାମବାସୀ ଉପେନ୍ଦ୍ରଙ୍କ ପରିବାରର ସମସ୍ତ ୭ ଜଣ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହତ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଶୁକ୍ରବାର ସକାଳେ ଉପେନ୍ଦ୍ର ଏ ନେଇ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଆଇଆଇସି ଲୋପାମୁଦ୍ରା ନାୟକ କହିଛନ୍ତି। ଉପେନ୍ଦ୍ର ଗଣମାଧ୍ୟମପ୍ରତିନିଧିଙ୍କୁ କହିଛନ୍ତି ଯେ ସେ ଦୀର୍ଘ ଦିନ ଧରି କଂଗ୍ରେସ ସମର୍ଥକ ଥିଲେ। ନିକଟରେ ସେ ବିଜେପିକୁ ସମର୍ଥନ କରିବାକୁ ଚାହୁଁଥିଲେ। ଏଥିଯୋଗୁଁ ତାଙ୍କ ପରିବାର ଉପରେ ଆକ୍ରମଣ ହୋଇଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି।

Comments are closed.