Latest Odisha News

BREAKING NEWS

୬ ମାସ ନ ପୁରୁଣୁ ଫାଟିଲାଣି ଅଟଳ ସେତୁ, ମିଥ୍ୟା ଆରୋପ କହି କଂଗ୍ରେସ ଉପରେ ବର୍ଷିଲା ବିଜେପି

ମୁମ୍ବାଇ: ଅଟଳ ସେତୁ ଉଦ୍ଘାଟନ ହେବାର ୬ ମାସ ବି ପୁରିନି, ହେଲେ ଅଟଳ ସେତୁରେ ଦେଖାଦେଲଣି ଫାଟ । କିଛି ଏମିତି ଆରୋପ ଲଗାଇ ବିଜେପିକୁ ଘେରିଛି କଂଗ୍ରେସ । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ନାନା ପାଟୋଲେ ନଭି ମୁମ୍ବାଇରେ ଅଟଳ ସେତୁର ଯାଞ୍ଚ କରିବାପରେ ଅଟଳ ସେତୁ ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ ଏଥିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ପାଟୋଲେ।

ଏହାକୁ ନେଇ ପାଟୋଲେ ଦାବି କରି କହିଛନ୍ତି, ଏହି ପୋଲ ନିର୍ମାଣ ଅତି ନିମ୍ନ ମାନର କରାଯାଇଛି । ଯାହାର ଏକ ପଟ ଅଂଶ ସାମାନ୍ୟ ବର୍ଷା ଚାପରେ ଦବିଯାଉଛି । ଯାହା ଉପରେ ଦୃଷ୍ଟି ଦେବା ନିହାତି ଆବଶ୍ୟକ । ସେପଟେ ଏହାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଶାଖା ପକ୍ଷରୁ ବିଜେପିକୁ କଟାକ୍ଷ କରି କୁହାଯାଇଛି ୬ ମାସ ପୂର୍ବରୁ ନରେନ୍ଦ୍ର ମୋଦି ଅଟଳ ସେତୁର ଉଦ୍ବାଟନ କରିଥିଲେ । ଖୁବ୍ ପ୍ରଚାର କଲେ, ଖୁବ୍ ଫଟୋ ବି ଉଠାଇଲେ । ହେଲେ ଏବେ ସୂଚନା ମିଳୁଛି ୧୮ ହଜାର କୋଟିରେ ନିର୍ମାଣ ହୋଇଥିବା ସେତୁରେ ଏବେ ଫାଟ ଦେଖାଦେଇଛି । ଯାହା ଭ୍ରଷ୍ଟାହୋଇଥିବାର ସ୍ପଷ୍ଟ ଚିତ୍ର ବୟାନ କରୁଛି ।

ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛି ବିଜେପି । ଏନେଇ ମହାରାଷ୍ଟ୍ର ବିଜେପି ପକ୍ଷରୁ ଏକ୍ସରେ ଏକ ପୋଷ୍ଟ୍ ଜାରି କରି କୁହାଯାଇଛି, ଅଟଳ ସେତୁକୁ ବଦନାମ କରିବା ବନ୍ଦ କର। ଏହା ସ୍ପଷ୍ଟ ହୋଇସାରିଛି ଯେ ଫଟୋରେ ରାସ୍ତାରେ ଯେଉଁ ଫାଟ ଦେଖାଦେଇଛି ତାହା ଅଟଳ ସେତୁରେ ନୁହେଁ। କିନ୍ତୁ ସୋସିଆଲ ମିଡିଆରେ ମିଛ ପୋଷ୍ଟ୍ କରି ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ କଂଗ୍ରେସ ଲଗାତାର ପ୍ରୟାସ କରୁଛି। ଅଟଳ ସେତୁ ଅଭିମୁଖେ ଯାଉଥିବା ଅନ୍ୟ ଏକ ସଂଯୋଗକାରୀ ରାସ୍ତାରେ ଏକ ସାଧାରଣ ଫାଟ ଦେଖାଦେଇଥିବା ବେଳେ ତାହାକୁ ଅଟଳ ସେତୁରେ ଫାଟ ବୋଲି ଦର୍ଶାଇ କଂଗ୍ରେସ ହଟଚମଟ ସୃଷ୍ଟି କରୁଛି ବୋଲି କହିଛି ବିଜେପି । ଫଟୋରେ ଯେଉଁ ସର୍ଭିସ ରୋଡରେ ଫାଟ ଦେଖାଯାଉଛି ତାହାର ମଧ୍ୟ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ସେପଟେ ଏଭଳି ମିଥ୍ୟା ଅପପ୍ରଚାରକୁ ନେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି  ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ । ସେ କହିଛନ୍ତି, ଅଟଳ ସେତୁରେ କୌଣସି ଫାଟ ନାହିଁ, ନାଁ ଅଟଳ ସେତୁକୁ ନେଇ କିଛି ଚିନ୍ତାଜନକ ବିଷୟ ଅଛି । ଏହା କେବଳ କଂଗ୍ରେସ ଦ୍ବାରା ଟଣା ଯାଇଥିବା ଏକ ମିଛ ପ୍ରସଙ୍ଗର ଗାର । ନିର୍ବାଚନ ସମୟରେ ସମ୍ବିଧାନ ପରିବର୍ତ୍ତନ, ନିର୍ବାଚନ ପରେ ଫୋନରେ ଇଭିଏମ୍ ଖୋଲିବା ଆଉ ଏବେ ଅଟଳ ସେତୁକୁ ନେଇ ମିଥ୍ୟା ପ୍ରଚାର, ଏହା ସବୁ କଂଗ୍ରେସର ଗୋଟେ ଗୋଟେ କ୍ରାକ ଯୋଜନା । କେବଳ ଦେଶର ଲୋକମାନେ ଏହି ‘କ୍ରାକ’ ଯୋଜନା ଏବଂ କଂଗ୍ରେସର ଦୁର୍ନୀତିଗ୍ରସ୍ତ ଆଚରଣକୁ ପରାସ୍ତ କରିବେ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଫଡ଼ନାବିସ ।

Leave A Reply

Your email address will not be published.