ଭୁବନେଶ୍ୱର: ଧର୍ମଶାଳା ବିଧାୟକ ହୁମାନଶୁ କୁମାର ସାହୁଙ୍କୁ ଆକ୍ରମଣ ପରେ ଯାଜପୁରରେ ତେଜିଛି ରାଜନୀତି। ଏହାକୁ ନେଇ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ସୃଷ୍ଟି ହୋଇଛି ହଟଚମଟ। ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଦେଖିବାକୁ ମିଳିଛି ବାକଯୁଦ୍ଧ। ଏହି ଘଟଣାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ନାରୀ ନିର୍ଯାତନା ଓ ହିଂସା ବଢ଼ିଚାଲିଛି। ଏହାକୁ ରୋକିବାରେସରକାର ସମ୍ପୂର୍ଣ୍ଣ ବିଫଳ। ତେଣୁ ଆମେ ସୋମବାର ଡିଜିପିଙ୍କୁ ଭେଟି ଦାବି ଜଣାଇବୁ ବୋଲି କହିବା ସହ ନ୍ୟାୟ ନ ମିଳିଲେ ଜୋରଦାର ଆନ୍ଦୋଳନ ହେବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ବାଲେଶ୍ବର ଦଙ୍ଗାର ମଧ୍ୟ ଉଦାହରଣ ଦେଇଛନ୍ତି ପ୍ରମିଳା। ସଂଖ୍ୟାଲଘୁ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି। ନାରୀ ନିର୍ଯାତନା, ହିଂସା ରୋକିବାକୁ କିଛି ପଦକ୍ଷେପ ନିଆଯାଉନି । ଏପରି କୁକର୍ମ କରି ଅପରାଧୀଙ୍କୁ ପୋଲିସ ଦ୍ବାରା ଉତ୍ସାହିତ କରାଯାଉଛି। ବିଜେଡି ଲୋକଙ୍କୁ ଜାଣିଶୁଣି ହଇରାଣ କରାଯାଉଛି। ଭାଜପା କର୍ମୀଙ୍କ କେସ୍ ଜରିଆରେ ବିଜେଡି ନେତାଙ୍କୁ ପୋଲିସ ହଇରାଣ କରୁଥିବା ସେ କହିଛନ୍ତି।