Latest Odisha News

BREAKING NEWS

ମାଆ ବିରଜାଙ୍କ ନାଁରେ ବଡ଼ ଲଢେଇ !

ଯାଜପୁର: ବିଜେଡି ହେଭିଓ୍ବେଟ୍ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସଙ୍କ ଗିରଫଦାରୀକୁ ନେଇ ବଢୁଛି ରାଜନୀତି । ମିଛ ଅଭିଯୋଗରେ ଭବପ୍ରସାଦଙ୍କୁ ଗିରଫ କରାଯାଇଥିବା ବିଜେଡି କହିଛି । ଜାମିନ ପାଇଁ ଆବେଦନ କରାଯାଇନଥିବା ବେଳେ ତାଙ୍କୁ ଜେଲ୍ ପଠାଯାଇଛି । ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଯାଜପୁର ପୌରପାଳିକାର ପୂର୍ବତନ ପୌର ଅଧ୍ୟକ୍ଷ ଭବପ୍ରସାଦ ଦାସଙ୍କୁ ଗିରଫ କରାଯାଇଛି। ତେବେ ବ୍ୟବସାୟୀ ଅଭିଯୋଗ ପ୍ରତ୍ୟାହାର କରିଛନ୍ତି । ସେପଟେ ମାଆ ବିରଜାଙ୍କ ପ୍ରକଳ୍ପ କାମ ତ୍ବରାନ୍ବିତ କରିବା ଦାବିରେ ଆନ୍ଦୋଳନ କରିବାରୁ ଭବପ୍ରସାଦଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହେଉଛି।

ବବିଙ୍କ ଭାଇ ଗିରଫ…ବଢିବ ରାଜନୀତି

ବବିଙ୍କ ଭାଇ ଭବପ୍ରସାଦଙ୍କ ଗିରଫଦାରୀକୁ ନେଇ ସରଗରମ ଯାଜପୁର ରାଜନୀତି। ସାଧାରଣ ନିର୍ବାଚନ ପୂର୍ବରୁ ମାଆ ବିରଜାଙ୍କ ପ୍ରକଳ୍ପ କାମ ଜୋରସୋରରେ ଚାଲିଥିଲା । ହେଲେ ରାଜ୍ୟରେ ସରକାର ବଦଳିବା ପରେ ଠପ୍ ହୋଇଛି କାମ । ପରିକ୍ରମା ପ୍ରକଳ୍ପ ପାଇଁ ଅଧିକୃତ ଜମିକୁ ଜବରଦଖଲ ଆରମ୍ଭ ହେଲାଣି । ଏପରିକି କିଛି ବ୍ୟବସାୟୀ ହାଟ କରିବାକୁ ଜିଦ୍ ଧରିଥିବା କୁହାଯାଉଛି । ଗତ ୨୧ତାରିଖରେ ବିରଜା ହାଟକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଦ୍ଵାରା ବିରଜା ପରିକ୍ରମା ପ୍ରକଳ୍ପ ସପକ୍ଷରେ ରାସ୍ତାରୋକ କରାଯାଇଥିଲା। ଘଟଣାରେ ପୂର୍ବତନ ପୌର ଅଧ୍ୟକ୍ଷ ଭବପ୍ରସାଦ ଦାସଙ୍କୁ ଗିରଫ କରି ଏସଡିଜେଏମ କୋର୍ଟରେ ହାଜର କରିଥିଲା ଟାଉନ୍ ଥାନା ପୋଲିସ। ଜାମିନ ଆବେଦନ କରିବାକୁ ଭବ ମନା କରିବା ପରେ ତାଙ୍କୁ ଜେଲ୍ ପଠାଯାଇଛି ।

ଅଭିଯୋଗକାରୀଙ୍କ ୟୁଟର୍ଣ୍ଣ

ଭବପ୍ରସାଦ ଦାସଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହାଟ ବ୍ୟବସାୟୀ। ତେବେ ଭବପ୍ରସାଦଙ୍କୁ ଗିରଫ କରାଯାଇଥିବା ବେଳେ ସେ ଆକ୍ରମଣ କରିଥିବା ନେଇ ହୋଇଥିବା ଅଭିଯୋଗକୁ ପ୍ରତ୍ୟାହାର କରିଛନ୍ତି ଅଭିଯୋଗକାରୀ ମଦନ ମୋହନ ନାୟକ । କିଛି ଲୋକଙ୍କ ପ୍ରଭାବରେ ଆସି ସେ ଏପରି ଅଭିଯୋଗ କରିଥିବା କହିଛନ୍ତି । ଅଭିଯୋଗ ମିଛ ଏବଂ ଭିତ୍ତିହୀନ ବୋଲି କହିବା ସହ ତାଙ୍କ ଇଚ୍ଛା ବିରୋଧରେ ତାଙ୍କ ଦସ୍ତଖତ ନିଆଯାଇଥିବା କହିଛନ୍ତି ଅଭିଯୋଗକାରୀ।

ବିଜେଡି ଟାର୍ଗେଟରେ ବିଜେପି

ପ୍ରଣବ ପ୍ରକାଶ ଦାସଙ୍କ ଭାଇ ତଥା ପୂର୍ବତନ ପୌର ଅଧ୍ୟକ୍ଷ ଭବପ୍ରସାଦ ଦାସଙ୍କୁ ଗିରଫଦାରୀ ଘଟଣାକୁ କଡା ନିନ୍ଦା କରିଛି ଜିଲ୍ଲା ବିଜେଡି। ବିରଜା ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଏହା ଏକ ବଡ଼ ଷଡଯନ୍ତ୍ର ବୋଲି ବିଜେଡି ଜିଲ୍ଲା ସଭାପତି କହିଛନ୍ତି । ଏଭଳି ଷଡଯନ୍ତ୍ରକୁ ବରଦାସ୍ତ କରାଯିବ ନାହିଁ । ଗିରଫଦାରୀକୁ ସରକାରୀ ଦଳ ତଥା ପ୍ରଶାସନର ହୀନ ଚକ୍ରାନ୍ତ ବୋଲି କହିଛନ୍ତି ଯାଜପୁର ବିଧାୟିକା। ସେପଟେ ଏନେଇ ପ୍ରତିକ୍ରିୟା ରଖିଛି ବିଜେପି । ଘଟଣା ନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ ।

ବିକାଶ ନାଁରେ ବଡ଼ ଲଢେଇ

ଭବପ୍ରସାଦଙ୍କ ଗିରଫଦାରୀକୁ ବଡ ପ୍ରସଙ୍ଗ କରିପାରେ ବିଜେଡି । ଜିଲ୍ଲା ବିକାଶ ପାଇଁ ପାଣ୍ଠି ଅଜାଡିଥିଲେ ପୂର୍ବତନ ବିଜେଡି ସରକାର । ହେଲେ ବିଜେପି କ୍ଷମତାକୁ ଆସିବା ପରଠୁ ବିକାଶ କାମ ରୋକିବାକୁ ଷଡ଼ଯନ୍ତ୍ର କରୁଥିବା ନେଇ ଦଳ ନାରେଟିଭ୍ ପ୍ରସ୍ତୁତ କରିପାରେ । ବିଶେଷ କରି ମାଆ ବିରଜା ପୀଠ ଯାଜପୁରବାସୀଙ୍କ ଇମୋସନ୍ ସହ ଜଡିତ । ଏହାର ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରିପାରେ ବିଜେଡି । ପୂର୍ବରୁ ଯାଜପୁର ବିକାଶ ପାଇଁ ଜେଲ୍ ଯିବାକୁ ପ୍ରସ୍ତୁତ କହି ଯୁଦ୍ଧଂ ଦେହୀ ଡାକରା ଦେଇଥିଲେ ବବି ଦାସ । ଏବେ ନିର୍ଦ୍ଦୋଷରେ ରାଜନୈତିକ ଶତ୍ରୁତା ପାଇଁ ତାଙ୍କ ଭାଇଙ୍କୁ ଗିରଫ କରାଯାଇଥିବା ନେଇ ନାରେଟିଭ୍ ପ୍ରସ୍ତୁତ କରାଯାଇପାରେ ।

Comments are closed.