ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ । ଆଜିଠାରୁ ବିଜୁ ଜନତା ଦଳ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଆରମ୍ଭ କରିବାର ନିଷ୍ପତ୍ତି ଗ୍ରହଣ କରିଛି ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଘରେ ଘରେ ଶଙ୍ଖ: ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଆଜି ମାର୍ଚ୍ଚ ୫ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ଯାଏଁ ଚାଲିବ ବୋଲି ସୋମବାର ଦିନ ବିଜେଡ଼ି କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ ଏବଂ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ମିନତୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
ବିଜେଡି ସାଧାରଣ ସମ୍ପାଦକ ଅରୁଣ ସାହୁ କହିଥିଲେ, ବିଜେଡି ଏକ ଅଭିନବ ଲୋକାଭିମୁଖୀ ପଦକ୍ଷେପ ସ୍ବରୁପ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ, କାର୍ଯ୍ୟକର୍ତ୍ତା କାର୍ଯ୍ୟକାରୀ କାର୍ଯ୍ୟକ୍ରମ ଜରିଆରେ ବିଜୁ ମହିଳା ଜନତା ଦଳର କର୍ମୀ ଓ ଦଳର କାର୍ୟ୍ୟକର୍ତ୍ତା ରାଜ୍ୟର ୮୬ ଲକ୍ଷ ପରିବାରଙ୍କ ପାଖକୁ ଯାଇ ଲୋକେ ସରକାରଙ୍କଠୁ କଣ ଆଶା ରଖନ୍ତି, ତାର ଲମ୍ବା ତାଲିକା ପ୍ରସ୍ତୁତ କରିବେ। ଲୋକଙ୍କଠାରୁ ସଂଗ୍ରହ ହୋଇଥିବା ମତାମତ ଆଧାରରେ ବିଜେଡି ଆଗାମୀ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ। ଏହି ଅଭିଯାନକୁ ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟ କାର୍ଯ୍ୟାଳୟରେ ଶୁଭାରମ୍ଭ କରିବେ। ଏହି ମତାମତ ସଂଗ୍ରହ ଅଭିଯାନ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ଯାଏ ଚାଲିବ ବୋଲି ଆପାତତଃ ସ୍ଥିର କରାଯାଇଛି।
ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ୨୦୧୪ ମସିହାରେ ବିଜେଡି ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇ ଆସିବା ପରେ ନିର୍ବାଚନ ଇସ୍ତାହାର ପ୍ରତିଶ୍ରୁତି ମୁତାବକ କାର୍ୟ୍ୟ କରିବା ପାଇଁ ପ୍ରଥମ ମନ୍ତ୍ରିପରିଷଦ ବୈଠକରେ ସଂକଳ୍ପ ନେଇଥିଲା। ପ୍ରତିଶ୍ରୁତି ମୁତାବକ ଗତ ୫ବର୍ଷ ଭିତରେ ଲୋକଙ୍କ ଆଶା ମୁତାବକ ପାଳନ କରିବାରେ ସକ୍ଷମ ହୋଇଛି। ପୂର୍ବରୁ ମଧ୍ୟ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଲୋକଙ୍କ ଆସ୍ଥା ଜିତିଥିବାରୁ ଲଗାତାର ଭାବେ ନବୀନ ସରକାରଙ୍କୁ ଲୋକେ କ୍ଷମତାକୁ ଆଣିଛନ୍ତି।
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାକୁ କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି। ସାଧାରଣ ଲୋକମାନେ ମର୍ମେ ମର୍ମେ ସରକାରଙ୍କ ପ୍ରଗତିର ସୁଫଳ ଅନୁଭବ କରୁଛନ୍ତି। ସବୁ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରିଆସିଛନ୍ତି। ଆସନ୍ତା ନିର୍ବାଚନ ପାଇଁ ସବୁ ଦଳର ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ବିଜେଡିର ଇସ୍ତାହାର ଓଡ଼ିଶାର ଲୋକେ ପ୍ରସ୍ତୁତ କରିବେ।
ସରକାରଙ୍କ ସଫଳତା ଦର୍ଶାଇ କୃଷି କ୍ଷେତ୍ରରେ ୪ ଥର କୃଷି କର୍ମଣ ପୁରସ୍କାର, ୨୦୧୪ ପ୍ରତିଶ୍ରୁତି ମୁତାବକ ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ, ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ସଫଳତା, ଶୂନ ପ୍ରତିଶତରେ ୫୦ ହଜାର ଟଙ୍କା ପର୍ୟ୍ୟନ୍ତ କୃଷି ଋଣ, ନିରାମୟ ଯୋଜନାରେ ରାଜ୍ୟର ୫୫ ଲକ୍ଷ କୃଷକ ପରିବାରକୁ ମାଗଣା ସ୍ବାସ୍ଥ୍ୟସେବା ସଂପର୍କରେ େନତାମାେନ ସୂଚାଇଥିଲେ। ଗତ ୫ ବର୍ଷରେ ଆବାସିକ ଯୋଜନାରେ ଗରିବଙ୍କ ପାଇଁ ୨୦ ଲକ୍ଷ ଗୃହ ନିର୍ମାଣ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବା ୨୫ ଲକ୍ଷ ଗରିବ ହିତାଧିକାରୀ ପରିବାରଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇବାପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କରେ ସୂଚନା ଦିଆଯାଇଥିଲା।

ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ନେଇ ସଂକଳ୍ପ କରି ଭାରତବର୍ଷର ସବୁ ରାଜନୈତିକ ଦଳର ସମର୍ଥନ ହାସଲ କରିବାରେ ସଫଳତା ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି। ଯାହାକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି ବୋଲି ଶ୍ରୀ ସାହୁ କହିଥିଲେ।
ଦୁଇ ଦୁଇ ଥର ମେକ୍ ଇନ ଓଡ଼ିଶା କନକ୍ଲେଭ କରି ରାଜ୍ୟକୁ ୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଇ ୨୦୧୫ ସୁଦ୍ଧା ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି। ଏବେ ଲୋକଙ୍କ ଆଶା ମୁତାବକ ସରକାର ନୀତି ପ୍ରସ୍ତୁତ କରିବେ। ସେଥିପାଇଁ ଇସ୍ତାହାର ପ୍ରସ୍ତୁତ କରିବାକୁ ମତାମତ ଅଭିଯାନ ଆରମ୍ଭ କରାଯିବ ବୋଲି ଶ୍ରୀସାହୁ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ସସ୍ମିତ ପାତ୍ର ଓ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।