Latest Odisha News

BREAKING NEWS

ଗଞ୍ଜାମରେ ଥମୁନି ରାଜନୈତିକ ହିଂସା: ପୂର୍ବତନ ସରପଞ୍ଚଙ୍କୁ ଏବେର ସରପଞ୍ଚଙ୍କ ଆକ୍ରମଣ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ଶେଷ ହୋଇ ତିନି ମାସରୁ ଅଧିକ ସମୟ ବିତିଗଲାଣି । ହେଲେ ଗଞ୍ଜାମ ଜିଲାରେ ରାଜନୈତିକ ହିଂସା ଥମୁନି । ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଛି । ସୋମବାର ରାତିରେ କୁକୁଡାଖଣ୍ଡି ବ୍ଳକ ମସିହାଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ ସେଠୀ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଖଣ୍ଡା ଓ କାତିରେ ମାରଣାନ୍ତକ ଆକ୍ରମଣ କରାଯାଇଛି ।

ସେମାନଙ୍କ ମଧ୍ୟରୁ ମନୋଜଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ଡାକ୍ତରଖାନା ଏବଂ ପରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଆକ୍ରମଣ ପଛରେ ବର୍ତ୍ତମାନର ମସିହାଖାଲି ସରପଞ୍ଚଙ୍କ ଏବଂ ତାଙ୍କ ସହଯୋଗୀଙ୍କ ସଂପୃକ୍ତି ଥିବା ନେଇ ମନୋଜଙ୍କ ଭାଇ ବ୍ରହ୍ମପୁର ସଦର ଥାନାରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ ମସିହାଖାଲି ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ଚାଲିଥିଲା । ରାତି ପ୍ରାୟ ୧ଟା ୩୦ ମିନିଟ ବେଳେ ପୂର୍ବତନ ସରପଞ୍ଚ ମନୋଜ ସେଠୀ, ତାଙ୍କ ସହଯୋଗୀ ଶଙ୍କର ଜେନା ଏବଂ ଦୁର୍ଗାପ୍ରସାଦ ପ୍ରଧାନ ଗାଧୋଇବା ପାଇଁ ଗାଁ ନିକଟ ପୋଖରୀକୁ ଯାଇଥିଲେ। ଏହି ସମୟରେ ବର୍ତମାନର ସରପଞ୍ଚ ଓ ତାଙ୍କର ୧୦ରୁ ଅଧିକ ସହଯୋଗୀ ଆସି ଖଣ୍ଡା ଓ କାତିରେ ମନୋଜ, ଶଙ୍କର ଏବଂ ଦୁର୍ଗାପ୍ରସାଦଙ୍କୁ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣକାରୀ ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ ଛାଡ଼ି ଯାଇଥିଲେ ଦୁଇଟି ବାଇକ।

ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେ ବର୍ତ୍ତମାନ ବିଶାଖାପାଟଣାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଦୁଇ ଆହତଙ୍କ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ଚାଲିଛି । ଏନେଇ ମନୋଜଙ୍କ ଭାଇ ହେମନ୍ତ ସେଠୀ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୩୬/୨୨ରେ ଏକ ମାମଲା ରୁଜୁ କରିଛି ।

ଗତ ନିର୍ବାଚନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ଏହି ଘଟଣା ପରେ ଗାଁରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଥିଲା । ଅପରପକ୍ଷେ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ଯୋଗୁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆକ୍ରମଣରେ ସଂପୃକ୍ତି ସନ୍ଦେହରେ ୪ ଜଣକୁ ଅଟକ ରଖି ପଚରାଉଚରା ଜାରି ରହିଥିବା ଥାନା ସୂତ୍ରରୁ ସୂଚନା ମିଳିଛି

Leave A Reply

Your email address will not be published.