ଭୁବନେଶ୍ବର: ଚାରିଆଡ଼େ ବଢିଚାଲିଛି ବାୟୁ ପ୍ରଦୁଷଣ । ଯାହାର ମୁକାବିଲା କରିବା ପାଇଁ ସବୁ ରାଜ୍ୟର ସରକାର ସଜାଗ ହୋଇଯାଇଛନ୍ତି । ଏବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏବଂ କଟକ ପାଇଁ ବାୟୁ ପ୍ରଦୂଷଣ ପାଇଁ କଟକଣା ଜାରି କରାଯାଇଛି । ଏବଠୁ ସ୍ଥିତି ନିୟନ୍ତ୍ରଣରେ ରଖିଲେ କିଛି ସୁଧାର ଆସିପାରିବ ଭାବି ସରକାର କିଛି ପଦକ୍ଷେପ ନେଇଛନ୍ତି ଜାଣନ୍ତୁ…. ଆସନ୍ତା ୭ ଦନି ପାଇଁ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲାଗିବ । ଏହା ସହ ସଫେଇ ସମୟରେ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରରେ ଅଳିଆ ଜାଳିବା ଉପରେ ମଧ୍ୟ କଟଣା ଲାଗୁ ହୋଇଛି । ଯଦି କୌଣସି ବ୍ୟକ୍ତି ବର୍ଜ୍ୟ ଜାଳନ୍ତି ତାହାଲେ ୫୦୦୦ ଟଙ୍କା ଫାଇନ୍ କରାଯିବ । ପୂର୍ବରୁ ବାଲେଶ୍ୱର ଏବଂ ଅନୁଗୁଳରେ କଟକଣା ଲାଗୁ ହୋଇଥିବା ବେଳେ ଏବେ ଟ୍ୱିନ୍ସିଟିରେ ଏହି କଟକଣା ଲାଗୁ ହୋଇଛି ବୋଲି ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ ସୂଚନା ଦେଇଛନ୍ତି ।ଢାବା, ହୋଟେଲ, ପିକନିକ ସ୍ପଟ,ରେ କୋଇଲା ଜାଳ ନ ଜାଳିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ପ୍ରଦୂଷଣର ମାତ୍ରା ବର୍ତ୍ତମାନ ବଢିଛି । ପାଗରେ ପରିବର୍ତ୍ତନ ହୋଇଥିବାରୁ ଏବେ ବାୟୁ ପ୍ରଦୂଷଣ ସ୍ତର ବଢିଛି । ବାଲେଶ୍ୱର, ଅନୁଗୁଳ ଏବଂ ବାରିପଦାରେ ଟିକେ ଉଚ୍ଚା ରହିଛି । ଏହା ସହ କଟକ ଏବଂ ଭୁବନେଶ୍ୱର ସହରରେ ମଧ୍ୟ ସ୍ଥିତି ଟିକେ ବଢିଛି । ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଉଭୟ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଦୃଷ୍ଟି ଦେବାକୁ ଅବଗତ କରାଯାଇଛି । ବଢୁଥିବା ସ୍ଥିତିକୁ ଆଖି ଆଗରେ ରଖି ବିଏମ୍ସି ପକ୍ଷରୁ ବାୟୁ ପ୍ରଦୂଷଣ କଟକଣା ଲାଗୁ କରାଯାଇଛି । ଭୁବନେଶ୍ୱର ଏବଂ କଟକ ମହାନଗର ନିଗମ ଅଞ୍ଚଳରେ ସଫେଇ ସମୟରେ ଧ୍ୟାନ ଦେବାକୁ କୁହାଯାଇଛି । ସଫେଇ ସମୟର ପାଣି ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି । ନିର୍ମାଣ ବର୍ଜ୍ୟ ଅଧିକ ବାୟୁ ପ୍ରଦୂଷଣ କରୁଥିବାର ନଜରକୁ ଆସିଛି । ବିଶେଷ କରି ରାତି ସମୟରେ କାମ ଯୋଗୁଁ, ପ୍ରଦୂଷଣ ମାତ୍ରା ବଢୁଛି । ତେଣୁ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ ହୋଇ ପାରିବ ନାହିଁ । ଯେଉଁ ସବୁ ସ୍ଥାନରେ ବଡ ବଡ ପ୍ରକଳ୍ପ କାମ ଚାଲିଛି, ସେଠାରେ କଟକଣା ଜୋରଦାର କରାଯିବ । ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ବଡ ଗାଡି ଗୁଡିକୁ ଯାଞ୍ଚ କରାଯିବ । ପ୍ଲାନିଂ ବିଭାଗର ଅଧିକାରୀ ମାନେ ଏହାକୁ କଡାକଡି ଯାଞ୍ଚ କରିବାକୁ କୁହାଯାଇଛି । ଆବଶ୍ୟକ ହେଲେ ଫାଇନ୍ ଆଦାୟ କରାଯିବ।