Latest Odisha News

BREAKING NEWS

ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପରିବାର, ଭତ୍ତା ଓ ରାସନ ପାଲଟିଛି ଆଶାବାଡ଼ି

ଜଗତସିଂହପୁର : ପାଠ ପଢିବାକୁ ପିଲାମାନଙ୍କ ମନରେ ରହିଛି ପ୍ରବଳ ଆଗ୍ରହ । ହେଲେ ପାଠ ପଢ଼ିବାକୁ ଅର୍ଥ ସାଜିଛି ବାଧକ । ବାପ ଛେଉଣ୍ଡ ଏ ପିଲା ।  ଘରେ ନାହାଁନ୍ତି କେହି ମୂରବୀ  । ଏ ପିଲାଙ୍କ ଆଶା ହେଉଛନ୍ତି ଜେଜେମାଆ ଓ ମାଆ ।  ଶାଳଜଙ୍ଗ ପଞ୍ଚାୟତର ଛଣହତା ଗ୍ରାମରେ ପରମାନନ୍ଦ ସାହୁଙ୍କ ଘର। ଗତ ତିନିବର୍ଷ ତଳେ ପରମାନନ୍ଦଙ୍କ ଏକମାତ୍ର ରୋଜଗାରିଆ ପୁଅ ବିଚିତ୍ର କୁମାର ସାହୁ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ।

ବିଚିତ୍ରଙ୍କ ୩ଟି ଝିଅ ଓ ଗୋଟିଏ ପୁଅ। ବିଚିତ୍ରଙ୍କ ମୃତ୍ୟୁ ପରେ ବାପା ପରମାନନ୍ଦ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଗତ ଦେଢ଼ ମାସ ତଳେ ପରମାନନ୍ଦଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ପରମାନନ୍ଦଙ୍କ ମୃତ୍ୟୁ ପରେ ପରିବାରଟି ସମ୍ପୂର୍ଣ୍ଣ ମୁରବୀ ଶୁନ୍ୟ ହୋଇପଡ଼ିଛି। ଗାଁ ରେ ଉଭୟ ଶାଶୁ ଓ ବୋହୁ କତାକାମ କରିବା ସହ ଲୋକଙ୍କ ଘରେ କାମ କରି ଯେଉଁ ଦୁଇ ପଇସା ରୋଜଗାର କରୁଛନ୍ତି ସେଥିରେ ଚଳୁଛନ୍ତି ୬ପ୍ରାଣୀ କୁଟୁମ୍ବ । ୪ଟି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ । ଯେତିକି ରୋଜଗାର କରୁଛନ୍ତି ପିଲାଙ୍କ ପେଟକୁ ଦାନା ଅଣ୍ଟୁନାହିଁ । ଯଦି ସରକାରୀ ସାହାଯ୍ୟ କିଛି ମିଳନ୍ତା ତେବେ ପରିବାର ଚଳିବା ସହିତ ପିଲାମାନେ ପାଠ ପଢ଼ି ପାରନ୍ତେ ବୋଲି ନିବେଦନ କରିଛନ୍ତି ବିଧବା ଶାଶୂ ଓ ବୋହୁ।

ବଡ଼ ଝିଅ ଜ୍ୟୋତିପ୍ରଜ୍ଞା ଅଲଣାହାଟ ସରକାରୀ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଆଉଗୋଟିଏ ଝିଅ ଷଷ୍ଠ ଶ୍ରେଣୀରେ ପଢୁଛି। ତୃତୀୟ ଝିଅଟି ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳେ ସାନ ପୁଅଟି ଅଙ୍ଗନବାଡି ରେ ପଢୁଛି। ପିଲାମାନଙ୍କ ମନରେ ପାଠ ପଢିବାକୁ ଆଗ୍ରହ ରହିଥିଲେ ମଧ୍ୟ ଅର୍ଥ ଅଭାବରୁ ଠିକ୍ ଭାବେ ପାଠ ପଢ଼ି ପାରୁ ନାହାଁନ୍ତି। ଯଦି କୌଣସି ସରକାରୀ କିମ୍ବା ବେସରକାରୀ ପ୍ରତିଷ୍ଠାନ ପକ୍ଷରୁ ସାହାଯ୍ୟ ସହଯୋଗ ମିଳନ୍ତା ଭଲ ପାଠ ପଢି ମଣିଷ ହୋଇ ପାରନ୍ତେ ବୋଲି କହିଛନ୍ତି ଜ୍ୟୋତିପ୍ରଜ୍ଞା। ତେବେ ଏହି ଅସହାୟ ପରିବାରକୁ ସରକାରୀ ସାହାଯ୍ୟ ନିହାତି ଜରୁରୀ ବୋଲି କହିଛନ୍ତି ଗ୍ରାମବାସୀ।

 

Comments are closed.