Latest Odisha News

BREAKING NEWS

ଆସନ୍ତୁ, ପବିତ୍ର ପୁରୀ ଶ୍ରୀକ୍ଷେତ୍ରରେ କରିବା ତୀର୍ଥ…

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଅବସ୍ଥାପନ କରନ୍ତ୍ି ବିଶ୍ୱ ନିୟନ୍ତାର ଶ୍ରଷ୍ଠା ପ୍ରଭୂ ଶ୍ରୀ ଜଗନ୍ନାଥ । ପୁରୀର ଭୌଗଳିକ ସ୍ଥିତି ଓ ଐତିହ୍ୟ ଏତେ ଶକ୍ତିଶାଳୀ ଯେ, ଏଥିପାଇଁ ଦେଶ ବିଦେଶରୁ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଭକ୍ତ । ତେବେ ଜଗନ୍ନାଥଙ୍କ ସାନ୍ନିଧ୍ୟ ପାଇବା ପାଇଁ ଓ ପାପମୁକ୍ତ ହେବା ନିମନ୍ତେ ପୁରୀର କେଉଁ ତୀର୍ଥସ୍ଥାନ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ପ୍ରାୟ ଅଧିକାଂଶ ଅବଗତ ନ ଥିବେ । ଜଗନ୍ନାଥ ମନ୍ଦିର ସମେତ ପୁରୀରେ ଥିବା ଅନ୍ୟ ଗୁରୁତ୍ପୂର୍ଣ୍ଣ ସ୍ଥାନଗୁଡିକ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କଲୁ ।

ଜଗନ୍ନାଥ ମନ୍ଦିର:

ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ୧୦୭୮ ଖ୍ରୀଷ୍ଟାଦ୍ଦରେ ନିର୍ମିତ ହୋଇଥିଲା । ଭାରତର ଚାରିଧାମରୁ ଏହି ଧାମର ଗୁରୁତ୍ୱ ସର୍ବାଧିକ । ପୂରୀ ନ ଆସିଲେ ଅନ୍ୟ ତିନି ଧାମର ପୂଣ୍ୟର ଫଳ ମିଳେ ନାହିଁ ବୋଲି ହିନ୍ଦୁ ଧର୍ମରେ ବିବେଚନା କରାଯାଏ । ପିରାମିଡ୍ ସଦୃଶ ଏହି ମନ୍ଦିର କଳାକୃତି ଏବେ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ସହ ଜଗନ୍ନାଥ ରତ୍ନ ସିଂହାସନରେ ବିରାଜମାନ ହୋଇଥାନ୍ତି । ଚର୍ଚ୍ଚିତ ରଥଯାତ୍ରାରେ ତିନି ଭାଇ ଭଉଣୀ ୩ କିଲୋମିଟର ଦୂରରେ ଥିବା ମାଉସୀ ମା ମନ୍ଦିରଙ୍କ ନିକଟକୁ ରଥରେ ଯାଇଥାନ୍ତି । ଏହି ଯାତ୍ରାରେ ସମସ୍ତ ଭକ୍ତ ତାଙ୍କୁ ଦର୍ଶନ କରିବା ସୌଭାଗ୍ୟ ପାଇଥାନ୍ତି ।

ଗୁଣ୍ଡିଚା ମନ୍ଦିର:

ପୁରୀରେ ଗୁଣ୍ଡିଚା ମନ୍ଦିର ମାଉସୀମା ମନ୍ଦିର ଭାବେ ପରିଚିତ । ଏଠାକୁ ରଥଯାତ୍ରା ସମୟରେ ଚତୁର୍ଦ୍ଧାମୂର୍ତି ଆସିଥାନ୍ତି । ଏହି ୯ ଦିନ ଯାତ୍ରାରେ ପୁରୀର ପରିବେଶ ଭକ୍ତମୟ ହୋଇଉଠେ ।

ଅଷ୍ଟଚଣ୍ଡୀ ମନ୍ଦିର:

ପୁରୀ ମନ୍ଦିରକୁ ଏହି ଅଷ୍ଟଚଣ୍ଡୀ ଜଗି ରହିଛନ୍ତି ବୋଲି ବିଶ୍ୱାସ କରାଯାଏ । ଏହି ଆଠଟି ମନ୍ଦିର ଦର୍ଶନ ନ କଲେ ପୂଣ୍ୟଫଳ ମିଳେ ନାହିଁ ବୋଲି ବିଶ୍ୱାସ ରହିଛି । ମାମଙ୍ଗଳା, ବିମଳା, ସର୍ବମଙ୍ଗଳା, ଅର୍ଦ୍ଧାଶିନି, ଅଲମ୍ବା, ଦକ୍ଷିଣକାଳୀ, ମରୀଚିକା ଓ ହରଚଣ୍ଡୀ । ଠାକୁରାଣୀମାନେ ପୁରୀ ମନ୍ଦିର ଓ ଏହାର ଚତୁଃପାଶ୍ୱର୍ରେ ଅବସ୍ଥାପିତ ହୋଇଛନ୍ତି ।

ପଞ୍ଚତୀର୍ଥ:

ଅଷ୍ଟଚଣ୍ଡୀଙ୍କ ଦର୍ଶନ ପରେ ପଞ୍ଚତୀର୍ଥ ଯିବା ଜରୁରୀ ହୋଇପଡେ । ଏହି ପାଂଚଟି ସ୍ଥାନରେ ବୁଡ ପକାଇଲେ ପାପ କ୍ଷୟ ହୋଇଥାଏ । ଇନ୍ଦ୍ରଦ୍ୟୁମ୍ନ, ମଣିକର୍ଣ୍ଣିକା, ମାର୍କଣ୍ଡ ଓ ଶ୍ୱେତଗଙ୍ଗା ୪ଟି ପୁଷ୍କରଣୀ ରହିଥିବା ବେଳେ ପଂଚମ ତୀର୍ଥ ଭାବେ ମହୋଦଧିଙ୍କୁ ବିଚେନା କରାଯାଇଛି ।

ଲୋକନାଥ ମନ୍ଦିର:

ଶ୍ରୀମନ୍ଦିରଠାରୁ ମାତ୍ର ୧ କିଲୋମିଟର ଦୂରତାରେ ଏହି ପୁରାତନ ଶିବ ମନ୍ଦିର ଅବସ୍ଥାପିତ । ପୁରାତନ ଗାଥା ଅନୁସାରେ ଶ୍ରୀରାମ ଏଠାରେ ଏହି ଶିବ ଲିଙ୍ଗ ପ୍ରତିଷ୍ଠା କରାଇଥିଲେ । ସରନ୍ତି ସୋମବାର ଓ ଜାଗର ଏଠାରେ ଧୂମଧାମରେ ପାଳନ କରାଯାଏ । ଜଗନ୍ନାଥଙ୍କ ବଡଭାଇ ହୋଇଥିବାରୁ ଲୋକନାଥଙ୍କ ପ୍ରତି ଅଧିକ ଭକ୍ତି ଓ ସମ୍ମାନ ରହିଥାଏ । ଏଠାକାର ପ୍ରସାଦ ସେବନ ଦ୍ୱାରା ବହୁ ପ୍ରକାର ରୋଗରୁ ଉପଶମ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଚକ୍ରନାରାୟଣ ମନ୍ଦିର:

ଚକ୍ରନାରାୟଣ ମନ୍ଦିର ସୁନାର ଗୌରାଙ୍ଗ ମନ୍ଦିରର ଉତର ପାଶ୍ୱର୍ରେ ଅବସ୍ଥାପିତ । ଏଠାରେ ଲକ୍ଷ୍ମୀ-ନୃସିଂହ ଭଗବାନ ପୂଜା ପାଇଥାନ୍ତି । ଏଠାରେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି ।ଚକ୍ରନାରାୟଣ ନିକଟରେ ଦରିଆ ମହାବୀରଙ୍କ ମନ୍ଦିର ରହିଛି । ଏହା ବେଡି ହନୁମାନ ପୁରୀରେ ବେଶ୍ ପରିଚିତ । ହନୁମାନ ଭକ୍ତଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ପୁରୀର ପୁରାତନ ମନ୍ଦିର ମଧ୍ୟରେ ଏହା ପରିଗଣିତ ।

ସିଦ୍ଧ ମହାବୀର:

ଗୁଣ୍ଡିଚାମନ୍ଦିର ନିକଟରେ ସିଦ୍ଧ ମହାବୀର ବିରାଜମାନ । ଏକ ଛୋଟ ମନ୍ଦିର ହୋଇଥିଲେ ମଧ୍ୟ ଏହାର ଗୁରୁତ୍ୱ ରହିଛି । ପୌରାଣିକ ଗାଥା ଅନୁସାରେ ମହାକବି ତୁଳସୀ ଦାସ ପୁରୀରେ ଏଠାରେ ଆଶ୍ରୟ ନେଇଥିଲେ ।
ଜମେଶ୍ୱର ମନ୍ଦିର :୧୧ଶହ ଶତାବ୍ଦୀର ଏହି ଶିବ ମନ୍ଦିର ପୁରୀର ହରଚଣ୍ଡୀ ସାହିରେ ଅବସ୍ଥାପିତ । ଏଠାରେ ଶିବଙ୍କ ଶରଣାପନ୍ନ ହେଲେ ମୃତ୍ୟୁର ଦେବତା ଯମ ପାଖ ମାଡେ ନାହିଁ ବୋଲି ବିଶ୍ୱାସ ରହିଛି ।

ଅଲାବୁକେଶ୍ୱର ମନ୍ଦିର:

ଯମେଶ୍ୱରଙ୍କ ପଶ୍ଚିମ ଦିଗରେ ଅଲାବୁକେଶ୍ୱର ମନ୍ଦିର ଅବସ୍ଥାପିତ କପିଳା ସଂହିତାରେ ମାନ୍ୟତା ଅଛି ଏହି ଶିବ ମନ୍ଦିରରେ ପୂଜାର୍ଚ୍ଚନା କଲେ ନିଃସନ୍ତାନ ଦମ୍ପତିଙ୍କ ସନ୍ତାନ ପ୍ରାପ୍ତି ହୋଇଥାଏ ।

କପାଳଲୋଚନା ମନ୍ଦିର:

ମଣିକର୍ଣ୍ଣିକା ସାହିରେ ଶିବଙ୍କ ଏହି ପୁରାତନ ମନ୍ଦିର ଅବସ୍ଥାପିତ । କପାଳଲୋଚନ ମନ୍ଦିରରେ ପବିତ୍ର ମଣିକର୍ଣ୍ଣିକା ପୁଷ୍କରିଣୀ ରହିଛି । ପୌରଣିକ ଗାଥା ଅନୁସାରେ ଏହି ମନ୍ଦିରର ଗୁରତ୍ୱ ରହିଛି ।

ଶ୍ୟାମାକାଳୀ ମନ୍ଦିର:

ପୁରୀର ପ୍ରତିଷ୍ଠିତ କାଳୀକା ମନ୍ଦିର ମଧ୍ୟରେ ଏହା ପରିଗଣିତ । ଶ୍ୟାମାକାଳୀ ପୁରୀ ଗଜପତିଙ୍କ ଆରାଧ୍ୟ ଠାକୁରାଣୀ । ବାଲି ସାହିର ଏହି ମନ୍ଦିର ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ରର ପୀଠ ଭାବେ ବିବେଚନା କରାଯାଏ । ଜଗନ୍ନାଥ ମନ୍ଦିରଙ୍କ ଦକ୍ଷିଣ ଦ୍ୱାର ବାଟେ ଗଲେ ଏହି ପୀଠ ପଡେ ।

ଦଶାବତାର ମନ୍ଦିର:

ଏହା ହିନ୍ଦୁମାନଙ୍କ ପୁରତନ ମନ୍ଦିର ମଧ୍ୟରୁ ଗୋଟିଏ । ବିଷ୍ଣୁଙ୍କ ଏହି ମନ୍ଦିର ଗୁଣ୍ଡିଚା ମନ୍ଦିର ନିକଟରେ ଅବସ୍ଥାପିତ । ଗୀତଗୋବିନ୍ଦ ରଚୟିତା କବି ଜୟଦେବଙ୍କ ଏହା ଆସ୍ଥାନ ଭାବେ ପରିଚିତ । ଭଗବାନ ବିଷ୍ଣୁଙ୍କ ଦଶାବତାର ଚିତ୍ର ଏଠାରେ ରହିଛ ।

ମାଉସୀ ମା’ ମନ୍ଦିର:

ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଧ୍ୟ ଭାଗରେ ଏହା ଅବସ୍ଥାପିତ । ରଥଯାତ୍ରା ସମୟରେ ଏଠାରେ ଚତୁର୍ଦ୍ଧାମୂର୍ତିଙ୍କ ରଥ ରହିଥାଏ । ଅର୍ଦ୍ଧାସିନି (ମାଉସୀ)ଙ୍କ ପୋଡପିଠା ଖାଇବା ପାଇଁ ଜଗନ୍ନାଥ ଆସିଥାନ୍ତି ବୋଲି ବିବେଚନା ରହିଛି । ସ୍କନ୍ଦ ପୁରାଣ ଓ ଆଉ କେତେକ ପୌରାଣିତ ପୁସ୍ତକରେ ଉଲ୍ଲେଖ ରହିଛି ଯେ, ସମୁଦ୍ର ପାଣି ମାଡି ଆସେ ସେତେବେଳେ ସ୍କନ୍ଦାସିନି ଅର୍ଦ୍ଦେକ ପାଣି ପିଇ ଦେଇଥାନ୍ତି ।

Leave A Reply

Your email address will not be published.