Latest Odisha News

ବଦଳିଲା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେଆରର ନାଁ

ନୂଆଦିଲ୍ଲୀ: ବଦଳିଲା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାଁ । ‘ପୋର୍ଟ ବ୍ଲେୟାର’ର ନୂତନ ନାମ ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ର ସରକାର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ‘ପୋର୍ଟ ବ୍ଲେୟାର’ର ନାମ ପରିର୍ବତ୍ତନ କରି ‘ଶ୍ରୀ ବିଜୟପୁରମ୍’ କରିଛନ୍ତି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

ଅମିତ ଶାହା ଟ୍ଵିଟ୍ କରି ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପରେ ଅନୁପ୍ରାଣିତ ହୋଇ ଦେଶକୁ ଦାସତ୍ୱର ସମସ୍ତ ପ୍ରତୀକରୁ ମୁକ୍ତ କରିବା ପାଇଁ ଆଜି ଗୃହ ମନ୍ତ୍ରଣାଳୟ ପୋର୍ଟ ବ୍ଲେୟାରର ନାମ ପରିବର୍ତ୍ତନ କରି ‘ଶ୍ରୀ ବିଜୟପୁରମ୍’ ରଖିବାକୁ ନିଷ୍ପତ୍ତି ନେଇଛି । ‘ଶ୍ରୀ ବିଜୟପୁରମ୍’ ନାମ ଆମର ସ୍ୱାଧୀନତା ସଂଗ୍ରାମ ଏବଂ ଏଥିରେ ଆଣ୍ଡାମାନ ଓ ନିକୋବରର ଅବଦାନକୁ ଦର୍ଶାଏ । ଆମ ଦେଶର ସ୍ୱାଧୀନତା ଏବଂ ଇତିହାସରେ ଏହି ଦ୍ୱୀପର ଏକ ଅନନ୍ୟ ସ୍ଥାନ ରହିଛି । ଚୋଳ ସାମ୍ରାଜ୍ୟରେ ନୌସେନା ଘାଟି ଭାବେ କାର୍ଯ୍ୟ କରୁଥିବା ଏହି ଦ୍ୱୀପ ଆଜି ଦେଶର ନିରାପତ୍ତା ଓ ବିକାଶକୁ ପ୍ରୋତ୍ସାହିତ କରିବାକୁ ଯାଉଛି । ଭାରତ ମା’ର ସ୍ୱାଧୀନତା ଲାଗି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀଙ୍କ ଦ୍ୱାରା ପ୍ରଥମ ତ୍ରିରଙ୍ଗା ଉତ୍ତୋଳନ ଠାରୁ ଆରମ୍ଭ କରି ସେଲୁଲାର ଜେଲରେ ଥିବା ସବରକର ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କର ଏହା ଏହା ସଂଘର୍ଷର ସ୍ଥାନ।

ସୂଚନାଯୋଗ୍ୟ ଯେ, ଗତ ୨୦୧୮ରେ ଆଣ୍ଡାମାନ ଓ ନିକୋବର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ହେବଲକ୍‌, ନୀଲ ଏବଂ ରାସ୍ ଦ୍ବୀପର ନାଁ ପରିବର୍ତ୍ତନ କରିଥିଲେ । ହେବଲକ ଦ୍ବୀପର ନାମ ବଦଳାଇ ସ୍ବରାଜ ଦ୍ବୀପ, ନୀଲ ଦ୍ବୀପର ନାମ ବଦଳାଇ ସହିଦ ଦ୍ବୀପ ଏବଂ ରାସ୍‌ ଦ୍ବୀପର ନାମ ବଦଳାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପ କରିଥିଲେ ମୋଦୀ ।

 

Comments are closed.