ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୁଟବଲ ସଂଗଠନ ଫିଫା, ଫୁଟବଲ ବିଶ୍ୱକପର ଦୁଇଟି ଆଗାମୀ ସଂସ୍କରଣ ପାଇଁ ଆୟୋଜକ ଦେଶର ନାଁ ଘୋଷଣା କରିଛି। ୨୦୩୪ ଇଭେଣ୍ଟ ପାଇଁ ସାଉଦି ଆରବକୁ ହୋଷ୍ଟିଂ ଅଧିକାର ଦିଆଯାଇଛି | ୨୦୩୦ ଫିଫା ବିଶ୍ୱକପ ପାଇଁ ସ୍ପେନ,ପର୍ତ୍ତୁଗାଲ ଏବଂ ମୋରୋକୋକୁ ମିଳିତ ଭାବେ ହୋଷ୍ଟ କରିବାକୁ ମନୋନୀତ କରାଯାଇଛି ।
ପର୍ତ୍ତୁଗାଲକୁ ୨୦୩୦ରେ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ୍ ବିଶ୍ୱକପ୍ ଆୟୋଜନ କରିବାର ସୁଯୋଗ ମିଳିବା ପରେ, ପର୍ତ୍ତୁଗାଲର ଷ୍ଟାର ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋ କହିଛନ୍ତି ଯେ, ୬ବର୍ଷ ପରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଅତ୍ୟନ୍ତ ସ୍ୱତନ୍ତ୍ର ହେବ।
ଲିଜେଣ୍ଡ ଫୁଟବଲର୍ ରୋନାଲ୍ଡୋ ନିଜର ଇନଷ୍ଟାଗ୍ରାମରେ ପର୍ତ୍ତୁଗାଲର ଜର୍ସି ପିନ୍ଧି ସେଲିବ୍ରେସନ୍ କରୁଥିବା ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପର୍ତ୍ତୁଗୀଜ୍ ଭାଷାରେ ଲେଖିଛନ୍ତି,’ସ୍ୱପ୍ନ ପୂରଣ ହୋଇଛି। ଏହା ଏକ ସ୍ୱତନ୍ତ୍ର ବିଶ୍ୱକପ୍ ହେବ | ପର୍ତ୍ତୁଗାଲ ୨୦୩୦ରେ ବିଶ୍ୱକପ୍ ଆୟୋଜନ କରି ଆମକୁ ଗର୍ବିତ କରିବ ।
ଫିଫା ବିଶ୍ୱକପ ୨୦୩୦ର ମ୍ୟାଚ୍ ୬ଟି ଦେଶରେ ଖେଳାଯିବ | ପ୍ରଥମ ଥର ପାଇଁ ଏପରି ହେବ; ୬ଟି ଦେଶରେ ଫୁଟବଲ୍ ବିଶ୍ୱକପ୍ ଆୟୋଜିତ କରାଯିବ । ସ୍ପେନ, ପର୍ତ୍ତୁଗାଲ ଏବଂ ମୋରୋକୋକୁ ମିଳିତ ହୋଷ୍ଟିଂ ଅଧିକାର ଦିଆଯାଇଛି। କିନ୍ତୁ, ଦକ୍ଷିଣ ଆମେରିକୀୟ ଦେଶ ଆର୍ଜେଣ୍ଟିନା, ପାରାଗୁଏ ଏବଂ ଉରୁଗୁଏରେ ମଧ୍ୟ ୧-୧ ମ୍ୟାଚ୍ ଆୟୋଜିତ ହେବ |
ସୂଚନାଥାଉକି, ପ୍ରଥମ ବିଶ୍ୱକପ୍ ୧୯୩୦ରେ ଉରୁଗୁଏରେ ଅନୁଷ୍ଠିତ ହୋଇଥିଲା ଏବଂ ଏହାର ୧୦୦ ବର୍ଷ ପାଳନ କରିବା ପାଇଁ ଫିଫା ଦକ୍ଷିଣ ଆମେରିକାର ଏହି ଦେଶମାନଙ୍କୁ ୧-୧ ମ୍ୟାଚ୍ ଆୟୋଜନ କରିବାକୁ ଅଧିକାର ଦେଇଛି । ଏଥିସହ ଫିଫା, ୨୦୩୪ରେ ଆୟୋଜିତ ହେବାକୁ ଥିବା ଫୁଟବଲ ବିଶ୍ୱକପ୍ ଆୟୋଜନ ସାଉଦି ଆରବ ହୋଷ୍ଟ କରିବ ବୋଲି ଘୋଷଣା କରିଛି ।
Comments are closed.