Latest Odisha News

ବାତ୍ୟା ଦେଇଯାଇଛି ଦୁଃଖ: କେଉଁଠି ଉଜୁଡିଛି ଚାଷ, ଆଉ କେଉଁଠି ଜଳବନ୍ଦୀ ପରିସ୍ଥିତି

ଭୁବନେଶ୍ବର: ଟଳି ଯାଇଛି ବାତ୍ୟା ଦାନା । ହେଲେ ଦେଇଯାଇଛି ଦୁଃଖ । କେଉଁଠି ମାଟିରେ ମିଶିଛି ଘର ତ ଆଉ କେଉଁଠି ଜଳବନ୍ଦୀରେ ଜୀବନ କାଟୁଛନ୍ତି ଲୋକେ । ବାତ୍ୟା ଦାନା ପ୍ରଭାବରେ ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଅନେକଙ୍କ ଘରେ ପାଣି ପଶି ଦୁର୍ଦ୍ଦଶାକୁ ଆହୁରି ଦୁଇ ଗୁଣ କରିଛି ।

ଲଗାଣ ବର୍ଷାରେ ବାଲେଶ୍ବର ଅଞ୍ଚଳକୁ ମାଡିଚି ଉପର ମୁଣ୍ଡର ପାଣି । ମୟୂରଭଞ୍ଜ ଓ ବିଶେଷ କରି ଶିମିଳିପାଳର ପାଣି ଏବେ ବୁଢ଼ା ବଳଙ୍ଗରେ ପ୍ରବାହିତ ହେଉଛି। ଫଳରେ ବୁଢାବଳଙ୍ଗ ଓ ସୋନ୍ ନଦୀର ଜଳସ୍ତର ବଢିଥିବାରୁ ବାଲେଶ୍ବର ସଦର ଏବଂ ରେମୁଣା ବ୍ଲକର ହଜାର ହଜାର ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ଯେଉଁ କାରଣରୁ ସଦର ବ୍ଲକକୁ ଏକପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ବାଲିଘାଟ ବଇଁଚା ରାସ୍ତାରେ ୩ ଫୁଟ ଉଚ୍ଚର ପାଣି ଚାଲୁଥିବା ବେଳେ ନୀଳଗିରିର ବିଭିନ୍ନ ଓ୍ବାର୍ଡରେ ମଧ୍ୟ ପାଣି ପଶିଛି ।

ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲା ମଧ୍ୟ ବାତ୍ୟା ପ୍ରଭାବରେ ଦୁର୍ବିସହ ହୋଇପଡିଛି । ଯୁଆଡେ ଅନେଇବ ଖାଲି ପାଣି ନଜର ଆସିବ । ହେକ୍ଟର ହେକ୍ଟର ଚାଷ ଜମି ପାଣି ଭିତରେ ବୁଡି ରହିଥିବା ବେଳେ ଫୁଲୁଛି ପ୍ରମୁଖ ନଦୀ । ଭଦ୍ରକ ଆଖଣ୍ଡଳମଣି ୩୫ ନମ୍ବର ରାଜ୍ୟ ରାଜପଥ ଅସୁରାଳୀରେ ୩ ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି । ତେବେ ଯଦିଓ ବୈତରଣୀ ନଦୀର ଉପର ମୁଣ୍ଡରେ ସେତେଟା ବର୍ଷା ନାହିଁ, ତଥାପି ରେବ ଓ କପାଳୀ ନଦୀର ବଢୁଥିବା ଜଳସ୍ତର ବନ୍ୟା ଆଶଙ୍କା ସୃଷ୍ଟି କରିଛି ।

ଏଥିସହିତ ବାତ୍ୟା ‘ଦାନା’ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର ୫ଟି ଜିଲ୍ଲାରେ ବର୍ଷା ଓ ପବନ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହୋଇଛି।  ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରେ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଛି। ତେବେ କୃଷି ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ, ଏହି ୫ଟି ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୯୩ ହଜାର ୧୧ ହେକ୍ଟର ଜମି ଜଳମଗ୍ନ ଓ ଫସଲ ପ୍ରଭାବିତ ହୋଇଛି।

Leave A Reply

Your email address will not be published.