Latest Odisha News

BREAKING NEWS

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ, ଫଟୋରେ ଥିବା ଅଜଣା ଯୁବକଙ୍କୁ ଖୋଜୁଛି ପୋଲିସ

ବଲାଙ୍ଗିର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଖବର । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଛି ହତ୍ୟା ଧମକ । ୧୫ ଦିନ ଭିତରେ ତାଙ୍କୁ ହତ୍ୟା କରାଯିବା ନେଇ ଏକ ବ୍ୟାନରରେ ଲେଖି ଟାଙ୍ଗିଛନ୍ତି ଦୁର୍ବୃତ । କଣ୍ଟାବାଞ୍ଜି ପୋଲିସ ଏହାର ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ,  ଆଜି ସକାଳୁ କଂଟାବାଞ୍ଜି ବାଳିକା ହାଇସ୍କୁଲ ବାହାରେ ଥିବା ଏକ ଦୋକାନ ନିକଟରେ ଏହି ବ୍ୟାନର ଲାଗିଥିଲା । ଧଳା ରଙ୍ଗର ଏହି ବ୍ୟାନରରେ ନାଲି ରଙ୍ଗରେ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା କରିବାକୁ ଉଲ୍ଲେଖ କରାଯାଇଛି । ସେଥିରେ ଲେଖାଯାଇଛି ‘ସନ୍ତୋଷ ସିଂ ସାଲୁଜାଙ୍କୁ ମୁଁ ୧୫ ଦିନ ଭିତରେ ମାରିଦେବି’। ଏହାସହିତ ଏହି ବ୍ୟାନରରେ ଜଣେ ଅଜଣା ଯୁବକଙ୍କୁ ଫଟୋ ମଧ୍ୟ ରହିଛି ।

ପୋଷ୍ଟର ଦେଖି ଲୋକେ ଭୟଭୀତ ହୋଇପଡ଼ିଥିବା ବେଳେ କଂଟାବାଞ୍ଜି ପୋଲିସ ବ୍ୟାନର ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣଙ୍କ କିଏ ତାହା ଜଣାପଡ଼ିନାହିଁ। ଏନେଇ ଘଟଣାକୁ ନେଇ କଣ୍ଟାବାଞ୍ଜି ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ଗତ କିଛି ଦିନ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏକ ପୋଷ୍ଟର । ଯେଉଁଥିରେ ‘କଂଗ୍ରେସ ଆସୁଛି’ ବୋଲି ଲେଖାହୋଇଥିଲା । ଏହାପରେ ଆଜି ପୁଣି ଏହିପରି ଏକ ପୋଷ୍ଟର ଲାଗିଛି । ବର୍ତ୍ତମାନ ଏହି ଦୁଇ ପୋଷ୍ଟରକୁ ନେଇ କଣ୍ଟାବାଞ୍ଜି ସହରରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.