ଭୁବନେଶ୍ୱର : ବିଗତ ୮୨୫ ଦିନ ଧରି ସମଗ୍ର ରାଜ୍ୟରେ ଚାଲିଥିବା କଳାପତାକା ଅଭିଯାନ ଆଗାମୀ ବର୍ଷା କାଳୀନ ଅଧିବେଶନ ସମାପ୍ତି ପର୍ଯ୍ୟନ୍ତ ସ୍ଥଗିତ ରହିଲା ବୋଲି ‘ଭାଷା ଆନ୍ଦୋଳନ’ ଅନୁଷ୍ଠାନ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି ।
ଓଡ଼ିଶା ସରକାରଙ୍କ ସୃଷ୍ଟି ଭାଷା-ସଂସ୍କୃତି-ଐତିହ୍ୟ ମନ୍ତ୍ରୀସ୍ତରୀୟ କମିଟି (କ୍ୟାବିନେଟ) ସଦସ୍ୟ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଶାସକ ଜି. ବାଳକୃଷ୍ଣନ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସହ ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥି, ଆବାହକ ପବିତ୍ର ମହାରଥା, ନବକୁମାର ପ୍ରଧାନ ପ୍ରମୁଖ ଦୀର୍ଘ ସମୟ ଧରି ସଚିବାଳୟର ଅର୍ଥମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆଲୋଚନା କରିଛନ୍ତି ।
ଭାଷା ଆଇନରେ ଆବଶ୍ୟକୀୟ ସଂଶୋଧନ କରାଯିବ ବୋଲି ପ୍ରତିଶୃତି ପାଇବା ପରେ ସରକାରଙ୍କ ପ୍ରତିଶୃତିକୁ ସମ୍ମାନ ପ୍ରଦର୍ଶନ କରି ଆଗାମୀ ବର୍ଷା କାଳୀନ ଅଧିବେଶନ ପର୍ଯ୍ୟନ୍ତ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ସ୍ଥଗିତ ରଖିବାକୁ ରାଜି ହୋଇଥିଲେ ।