କୋଲକାତା: ଆଜିଠୁ ପଶ୍ଚିମବଙ୍ଗରେ ଆଳୁ ଯୋଗାଣ ବନ୍ଦ। ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ପରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ ନେଇଛି ଏପରି ନିଷ୍ପତ୍ତି। ମମତା ସରକାରଙ୍କ ନିଷ୍ପତ୍ତିକୁ ବ୍ୟବସାୟୀ କରିଛନ୍ତି ବିରୋଧ। ପଡ଼ୋଶୀ ରାଜ୍ୟକୁ ଆଳୁ ଯୋଗାଣ ପ୍ରସଙ୍ଗରେ କୋଲକତା ଖାଦ୍ୟ ଭବନରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ ଓ ବିଭାଗୀୟ ମନ୍ତ୍ରୀ ବେଚାରାମ ମାନାଙ୍କ ମଧ୍ୟରେ ବୈଠକ ବସିଥିଲା। ବୈଠକରେ ବାହାରିପାରିନି କୌଣସି ନିଷ୍କର୍ସ । ଫଳରେ ନିଜ ରାଜ୍ୟରେ ଆଳୁ ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସଂଘ ।
ପଶ୍ଚିମବଙ୍ଗରୁ ପଡ଼ୋଶୀ ରାଜ୍ୟକୁ ଆଳୁ ଯୋଗାଣ ବନ୍ଦ ହେବା ପରେ ସରକାରଙ୍କ ଉପରେ ବର୍ଷିଥିଲା ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ । ସୋମବାର ସୁଦ୍ଧା ସରକାର ସୀମାରେ କଟକଣା ନଉଠାଇଲେ ମଧ୍ୟରାତ୍ରିରୁ ସମସ୍ତ କୋଲଡ ଷ୍ଟୋରରୁ ନିଜ ରାଜ୍ୟକୁ ବି ଆଳୁ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଥିଲା । ଯାହାକୁ ନେଇ ବୈଠକ ବସିଥିଲା । ଦୀର୍ଘ ୫ ଦିନ ଧରି ପଶ୍ଚିମବଙ୍ଗ ସରକାର ପ୍ରଶାସନ ଜରିଆରେ ପଡୋଶୀ ରାଜ୍ୟ ସୀମାରେ ଚେକ ପୋଷ୍ଟ ଲଗାଇ ଆଳୁ ଗାଡିକୁ ରୋକ ଲଗାଉଛନ୍ତି । ଯାହା ଫଳରେ ବିଭିନ୍ନ କୋଲ୍ଡ ଷ୍ଟୋର ମାଲିକମାନେ ବିପୁଳ କ୍ଷତି ସହୁଛନ୍ତି ।
ଏବେ ବୈଠକରେ କୌଣସି ସମାଧାନ ନହେବାରୁ ମଧ୍ୟ ରାତ୍ରିରୁ ସମସ୍ତ କୋଲ୍ଡ ଷ୍ଟୋର ମାଲିକ ମାନେ ନିଜ ରାଜ୍ୟକୁ ଆଳୁ ଛାଡିବେ ନାହିଁ ବୋଲି କଡା ଚେତାବନୀ ଦେଇଛନ୍ତି । କେବଳ ଓଡିଶା ନୁହେଁ, ବିହାର, ଝାଡ଼ଖଣ୍ଡ ରାଜ୍ୟ ଭଳି ଅନେକ ରାଜ୍ୟକୁ ପଶ୍ଚିମବଙ୍ଗର ଆଳୁ ଯାଇ ପାରୁନାହିଁ। ଫଳରେ ଷ୍ଟୋରରେ ଆଳୁ ପଚିବା ଆରମ୍ଭ ହୋଇଛି। ଅନ୍ୟପଟେ ଓଡିଶାରେ ଆଳୁ ସଙ୍କଟ ଦେଖାଦେଇଛି। ବଜାରରେ ଅହେତୁକ ଆଳୁ ଦର ବୃଦ୍ଧିକୁ ନେଇ ବଜାରରୁ ବିଧାନସଭା, ସବୁଠି ତାତି । ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ପଠାଇବା ଉପରେ କଟକଣା ଲଗାଇବା ପରେ ଓଡ଼ିଶାରେ ଆଳୁ କିଲୋ ୬୦ ଟଙ୍କା ଛୁଇଁଛି।
Comments are closed.