କଟକ: କିଛି ଆଳୁ ଟ୍ରକ୍ ୟୁପିରୁ ଆସି ପହଞ୍ଚିଛି। ବଜାରରେ ଆଳୁ ମହରଗ। ଯୋଉଠି ପଚାରିବେ, ଯେମିତି ମାଗିବେ ସବୁଠି ୪୦ ଉପରେ। କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଆଳୁ ଦର ୪୦ରୁ ଅଧିକ ରହିଛି। ଏମିତିକି କିଛି ଅଞ୍ଚଳରେ ୫୦ରୁ ୬୦ ଉପରେ ରହିଛି ଆଳୁ ଦର।
ହେଲେ ଆଳୁ ତ ପହଞ୍ଚିଯାଇଛି କିନ୍ତୁ ଆଜିଠୁ ରାଜ୍ୟରେ କମିବ କି ଆଳୁ ଟେନସନ୍ ? ଉତ୍ତରପ୍ରଦେଶରୁ ଆସୁଥିବା ୩୦୦ ଟ୍ରକ୍ ଆଳୁ ଆଜି ଓଡ଼ିଶାରେ ପହଞ୍ଚିଛି । ଉତ୍ତରପ୍ରଦେଶରୁ ୩ଶହ ଟ୍ରକ୍ ଆଳୁ ପହଞ୍ଚିଲା ପରେ ରାଜ୍ୟରେ ଆଉ ଆଳୁ ସଂକଟ ରହିବନି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଅନ୍ୟପଟେ ୫ଦିନ ତଳେ ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ଏବେ ରହିଛି ୬୦ ଟଙ୍କା। ସପ୍ତାହକରେ ୩୦ ଟଙ୍କା ବଢିଲା ଆଳୁ ଦର । ଫଳରେ ରୋଷେଇ ଘରେ ଆଳୁ ଚିନ୍ତା ଘାରିଛି। ଆଗକୁ ଆହୁରି ଦର ବଢିବା ସମ୍ଭାବନାରେ ଚିନ୍ତାରେ ଖାଉଟି ।
ଖୁଚୁରା ବ୍ୟବସାୟୀଙ୍କ କହିବା ଅନୁୟାୟୀ, ଆଳୁ ଯୋଗାଣ କମିଥିବାବେଳେ ଏବେ ବସ୍ତାରେ ବି କମ୍ ଆଳୁ ଯୋଗାଣ ହେଉଛି । ପୂର୍ବରୁ ବସ୍ତାରେ ୫୦କେଜି ଆଳୁ ରହୁଥିବାବେଳେ ଏବେ ୪୨ କେଜି ଆଳୁ ଆସୁଛି। ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ଅଟକାଇବା ପରେ ଏବେ ଓଡ଼ିଶା ସରକାରଙ୍କୁ ଆଳୁ ଚିନ୍ତା ଘାରିଛି ।