ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଧନୀ ଓ ଗରୀବିକୁ ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ବିଗତ ତିନି ବର୍ଷ ମଧ୍ୟରେ ଧନୀଙ୍କ ସମ୍ପତ୍ତି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ବିଶ୍ୱର ଗରିବୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଲୋକମାନଙ୍କର ଆୟ ହ୍ରାସ ଘଟୁଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଇକୋନୋମିକ ଫୋରମରେ ଆକ୍ସଫେମ ରିପୋର୍ଟର ଏହି ତଥ୍ୟକୁ ସାର୍ବଜନୀନ କରାଯାଇଛି। ଏହି ରିପୋର୍ଟରେ ଦାବି କରାଯାଇଛି କି ବିଶ୍ୱର ୫ ପ୍ରତିପତ୍ତିଶାଳୀ ବ୍ୟକ୍ତିଙ୍କ ସମ୍ପତ୍ତି ୨୦୨୦ ଠାରୁ ବର୍ତ୍ତମାନ ସୁଦ୍ଧା ଦୁଇଗୁଣା ହୋଇଯାଇଛି। ରିପୋର୍ଟକୁ ଆଧାର କରି ଆଗାମୀ ଦଶ ବର୍ଷ ମଧ୍ୟରେ ବିଶ୍ୱର ପ୍ରଥମ ଟ୍ରିଲିୟନ ଆୟ କରୁଥିବା ବ୍ୟକ୍ତି ମିଳିଯିବ।
ଆଗାମୀ ଦୁଇ ଶହ ବର୍ଷ ମଧ୍ୟରେ ଶେଷ ହେବନାହିଁ ଗରିବୀ
ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ପରଠାରୁ ୫ ବିଲିୟନ ଲୋକଙ୍କ ଆୟ ହ୍ରାସ ପାଇଛି। ଗରିବଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ଧାରାକୁ ଆଧାର କରି ଅକ୍ସଫାମର ରିପୋର୍ଟ ଗମ୍ଭୀର ଚିନ୍ତା ପ୍ରକଟ କରିଛି। ଏଥିରେ କୁହାଯାଇଛି ଯେ ଯଦି ଏହି ଧାରା ଅବ୍ୟାହତ ରହେ ତେବେ ଆଗାମୀ ୨୨୯ ବର୍ଷ ମଧ୍ୟରେ ଦାରିଦ୍ର୍ୟ ଦୂର ହେବ ନାହିଁ। ପ୍ରତିବର୍ଷ ଭଳି ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ ଅକ୍ସଫାମ ଏହାର ବାର୍ଷିକ ଅସମାନତା ରିପୋର୍ଟ ପ୍ରକାଶ କରିବାବେଳେ ଏହି ସୂଚନା ଦେଇଛି।
୩ ବର୍ଷରେ ସମ୍ପତ୍ତି ଦୁଇଗୁଣା
ଧନୀମାନଙ୍କ ବୃଦ୍ଧି ପାଉଥିବା ସମ୍ପତ୍ତିକୁ ଆଲୋକିତ କରି ଅକ୍ସଫାମଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ ଦୁନିଆର ୧୦ଟି ବୃହତ୍ତମ ନିଗମର ସାତୋଟିରେ ସିଇଓ କିମ୍ବା ପ୍ରମୁଖ ଅଂଶଧନକାରୀ ଜଣେ କୋଟିପତି ଅଟନ୍ତି। ୧୪୮ଟି ଶ୍ରେଷ୍ଟ କର୍ପୋରେସନ ୧୮୦୦ ବିଲିୟନ ଡ଼ଲାରର ଲାଭ ହାସଲ କରିଛି, ଯାହା ତିନି ବର୍ଷର ହାରାହାରି ଠାରୁ ୫୨ ପ୍ରତିଶତ ଅଧିକ। ଏହି ଅବଧି ମଧ୍ୟରେ ଧନୀ ଅଂଶୀଦାରମାନଙ୍କୁ ବିପୁଳ ଦେୟ ପ୍ରଦାନ କରାଯାଇଥିବାବେଳେ କୋଟି କୋଟି ଲୋକ ଦରମା ହ୍ରାସର ସମ୍ମୁଖୀନ ହୋଇଥିଲେ। ଅସମାନତା ଏବଂ ବିଶ୍ୱସ୍ତରୀୟ କର୍ପୋରେଟ୍ ଶକ୍ତି ଉପରେ ଅକ୍ସଫାମର ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ୫ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୨୦୨୦ ପରେ ଘଣ୍ଟା ପ୍ରତି ୧୪ ମିଲିୟନ ଡ଼ଲାରରେ ବୃଦ୍ଧି ପାଇଛି। ଏହି ଅବଧି ମଧ୍ୟରେ ଏହା ୪୦୫ ବିଲିୟନ ଡ଼ଲାରରୁ ୮୬୯ ବିଲିୟନ ଡ଼ଲାର ଛୁଇଁଛି।
ଧନୀ-ଗରିବଙ୍କ ମଧ୍ୟରେ ବଢିଲା ଦୂରତା
ବଢୁଥିବା ଦାରିଦ୍ର ତଥା ଧନ ମଧ୍ୟରେ ଥିବା ଅସମାନ ବଣ୍ଟନର ଉଦାହରଣ ଦେଇ ଅକ୍ସଫାମ ଇଣ୍ଟରନ୍ୟାସନାଲ କହିଛି ଯେ ‘ଗ୍ଲୋବାଲ ଉତ୍ତର’ର ଧନୀ ଦେଶ ବିଶ୍ୱ ଜନସଂଖ୍ୟାର ମାତ୍ର ୨୧ ପ୍ରତିଶତ ପ୍ରତିନିଧିତ୍ୱ କରୁଛନ୍ତି। କିନ୍ତୁ ଏହି ଦେଶଗୁଡ଼ିକର ବିଶ୍ୱ ସମ୍ପତ୍ତିରେ ୬୯ ପ୍ରତିଶତ ଅଂଶଧନ ଅଛି। ଏଥିରେ କୁହାଯାଇଛି ଯେ ବିଶ୍ୱର କୋଟିପତିଙ୍କ ସମ୍ପତ୍ତିର ୭୪ ପ୍ରତିଶତ ‘ଗ୍ଲୋବାଲ୍ ଉତ୍ତର’ର ଧନୀ ଦେଶରେ ଅଛି। ଏହା ସ୍ପଷ୍ଟ ଯେ, ଯଦି ସାରା ବିଶ୍ୱରେ ଆୟ ଅସମାନତାର ଏହି ବୃହତ ବ୍ୟବଧାନ ହ୍ରାସ ନହୁଏ, ତେବେ ସମୃଦ୍ଧତା ବ୍ୟବଧାନ ସମାନ ରହିବ, ଯାହା ସାମାଜିକ ଦୂରତା ପାଇଁ ମଧ୍ୟ ସବୁଠାରୁ ବଡ କାରଣ ଅଟେ।
Comments are closed.