ସାଧନା ପଣ୍ଡା
ଜୀବନ ଯାତ୍ରା ପଥରେ ଚାଲିଛି
ଚାଲୁଛି ତ ଚାଲୁଥିବି ,
କେଉଁଠି ବା ଏଇ ଯାତ୍ରାର ଶେଷ
ପାରିନିତ କେବେ ଭାବି ।
ଏଇ ଚାଲିବାରେ ଯେତେ ଅନୁଭୂତି
ହୃଦୟ ପୃଷ୍ଠାରେ ଲେଖି
ଗଢି ଦେଇ ଯିବି କବିତା କୋଣାର୍କ
ଲେଖନୀ ମୁନରେ ଯୋଖି ।
ହୃଦୟର ବୁକେ ଲେଖି ଦେଇ ଯିବି
ଜୀବନର ଯେତେ ଗାଥା
ସେଇ ହେବ କାବ୍ୟ ଶବ୍ଦର ସୌଧ
ସ୍ମୃତି-ସତ୍ୟ ନୀରବତା।
ଲେଖନୀ ମୁନରେ ଚାଲି ଚାଲି କେତେ
କଠିଣ କରିଛି ପାଦ
କେତେ କଣ୍ଟା ଫୁଲ ଆଘାତ ସହିଚି
କରି ନାହିଁ ଭେଦାଭେଦ ।
ମାନ ଅପମାନ କରି ତୁଚ୍ଛ ଜ୍ଞାନ
ଚାଲଇ ଟେକି ମୋ ମଥା ,
ସାଦରେ ଭରିଛି ହୃଦୟ ମନରେ
ଦେଇଛନ୍ତି ଯିଏ ବ୍ୟଥା।
ଆଜିର ଅହଲ୍ଯା ନାରୀ ମୁଁ ପାଷାଣୀ
ଖୋଜେ ଶ୍ରୀରାମଙ୍କ ପଦ
ତଥାପି ଥକିନି ବିଶ୍ୱାସ ହାରିନି
ମନନରେ ପ୍ରତିଶବ୍ଦ।
ବଖାଣିଲା ପରେ ଏତେ ଇତିହାସ
ବାକି ରହେ କେତେ କଥା
ତଥାପି ମଣିଷ ଲେଖି ଚାଲିଥାଏ
ମନନରେ ଏ’ କବିତା !!
ଭୁବନେଶ୍ବର
Comments are closed.