Latest Odisha News

BREAKING NEWS

ଆସୁଛି ନୂଆ ନିୟମ: ଏଣିକି ଦିନରେ ଶସ୍ତାହେବ ବିଜୁଳି, ରାତିରେ ମହଙ୍ଗା

ଭୁବନେଶ୍ୱର: ବିଦ୍ୟୁତ ନିୟମାବଳୀରେ ପରିବର୍ତ୍ତନ ଆଣିଛନ୍ତି  କେନ୍ଦ୍ର ସରକାର ।  ଏହି ପରିବର୍ତ୍ତନଗୁଡ଼ିକ ହେଲା ଟାଇମ୍‌ ଅଫ୍‌ ଡେ (ଟିଓଡି) ଶୁଳ୍କ ବ୍ୟବସ୍ଥାର ପ୍ରଚଳନ କରିବା ଏବଂ ମିଟରିଂ ବ୍ୟବସ୍ଥାକୁ ତର୍କସଙ୍ଗତ କରିବା।  ପରିବର୍ତ୍ତିତ ନିୟମ ଅନୁସାରେ ଏଣିକି ଉପଭୋକ୍ତାଙ୍କୁ ଦୁଇ ପ୍ରକାର ରେଟରେ ବିଦ୍ୟୁତ ବିଲ ଦେବାକୁ ପଡିବ ।

ଏହି ବ୍ୟବସ୍ଥା ଲାଗୁ ହେଲେ ଦିନ ଓ ରାତି ପାଇଁ ଭିନ୍ନ ଭିନ୍ନ ଦରରେ ବଦ୍ୟୁତ ଶୁଳ୍କ ଦେବାକୁ ପଡିବ ।   ଟିଓଡି ଟାରିଫ ବ୍ୟବସ୍ଥା ଅଧୀନରେ   ଗୋଟିଏ ଦିନର ଆଠ ଘଣ୍ଟା ସମୟ ବିଦ୍ୟୁତ ଶୁଳ୍କ ଦର ସ୍ୱାଭାବିକ ଶୁଳ୍କ ଦର ଠାରୁ ୧୦%-୨୦% କମ୍‌ ରହିବ। ଅନ୍ୟପଟେ ଅଧିକ ଚାହିଦା ଥିବା ସମୟ ବା ପିକ୍‌ ଆୱାର୍ସରେ ବିଦ୍ୟୁତ ଶୁଳ୍କ ଦର ୧୦ରୁ ୨୦ ପ୍ରତିଶତ ଅଧିକ ରହିବ । ୧ ଏପ୍ରିଲ, ୨୦୨୪ ଠାରୁ ସର୍ବାଧିକ ୧୦ କିଲୋୱାଟ୍‌ କିମ୍ବା ଅଧିକ ଚାହିଦା ଥିବା ବାଣିଜ୍ୟିକ ଓ ଶିଳ୍ପ ଉପଭୋକ୍ତା ଏବଂ ୧ ଏପ୍ରିଲ ୨୦୨୫ ଠାରୁ କୃଷି ଉପଭୋକ୍ତାଙ୍କୁ ଛାଡ଼ି ଅନ୍ୟ ଉପଭୋକ୍ତାଙ୍କ ପାଇଁ ଟିଓଡି ଶୁଳ୍କ ବ୍ୟବସ୍ଥା ଲାଗୁ ହେବ। ସ୍ମାର୍ଟ ମିଟର୍‌ ସଂଯୋଗ ହେବାର ତୁରନ୍ତ ପରେ ଟାଇମ୍‌ ଅଫ୍‌ ଡେ ବା ଟିଓଡି ଶୁଳ୍କ ବ୍ୟବସ୍ଥା ଲାଗୁ ହେବ ।

କେନ୍ଦ୍ର ଶକ୍ତି ଓ ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ ସିଂ କହିଛନ୍ତି ଯେ, ଟିଓଡି ବ୍ୟବସ୍ଥା ଉଭୟ ଉପଭୋକ୍ତା ଏବଂ ବିଦ୍ୟୁତ ବ୍ୟବସ୍ଥା ପାଇଁ ଲାଭଜନକ ହେବ । ସେ କହିଛନ୍ତି, ଅଧିକ ଚାହିଦା ଥିବା ସମୟ, ସୌର ଘଣ୍ଟା ଏବଂ ସ୍ୱାଭାବିକ ସମୟ ପାଇଁ ଅଲଗା ଅଲଗା ଶୁଳ୍କ ଦର ନିର୍ଦ୍ଧାରଣ କରିବା ଲାଗି ଟିଓଡି ଟାରିଫ୍‌ରେ ବ୍ୟବସ୍ଥା ରହିଛି ।  ଏହା ଉପଭୋକ୍ତାମାନଙ୍କୁ ଶୁଳ୍କଦର ଅନୁଯାୟୀ ବିଦ୍ୟୁତ ବ୍ୟବହାର କରିବା ଲାଗି ଦରଜନିତ ସତର୍କ ବାର୍ତ୍ତା ଦେବ ।

ସୌର ଶକ୍ତି ଶସ୍ତା ହୋଇଥିବାରୁ ସୌର ଘଣ୍ଟା ସମୟରେ ଶୁଳ୍କ ଦର କମ ରହିବ, ଯାହାର ଲାଭ ଉପଭୋକ୍ତାମାନଙ୍କୁ ମିଳିପାରିବ । ଅଣ ସୌର ଘଣ୍ଟା ସମୟରେ ତାପଜ ଓ ଜଳ ବିଦ୍ୟୁତ ଶକ୍ତି ସହିତ ବାଷ୍ପ ଆଧାରିତ କ୍ଷମତା ଉପଯୋଗ କରାଯାଇଥାଏ  । ଏହାର ଦାମ୍‌ ସୌର ଶକ୍ତି ଠାରୁ ଅଧିକ – ଯାହାକି ଟାଇମ୍‌ ଅଫ୍‌ ଡେ ଟାରିଫ୍‌ରେ ପ୍ରତିଫଳିତ ହେବ । ଏବେ ଉପଭୋକ୍ତାମାନେ ନିଜର ବିଦ୍ୟୁତ ଶୁଳ୍କ ଖର୍ଚ୍ଚ କମାଇବା ପାଇଁ ନିଜର ବିଦ୍ୟୁତ ଉପଯୋଗ ପାଇଁ ଯୋଜନା ପ୍ରସ୍ତୁତ କରିପାରିବେ । ବିଦ୍ୟୁତ ଶୁଳ୍କ ଦର କମ ରହିଥିବା ସୌର ଘଣ୍ଟା ସମୟରେ ସେମାନେ ଅଧିକ କାର୍ଯ୍ୟ କରିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଆର.କେ ସିଂ କହିଛନ୍ତି।

ସରକାର ସ୍ମାର୍ଟ ମିଟର ସଂଯୋଗ ପାଇଁ ରହିଥିବା ନିୟମାବଳୀକୁ ମଧ୍ୟ ସରଳ କରିଛନ୍ତି ।  ସଂଶୋଧନ ଅନୁଯାୟୀ, ଗୋଟିଏ ସ୍ମାର୍ଟ ମିଟର ସଂଯୋଗ ପରେ ଉପଭୋକ୍ତାଙ୍କ ଉପରେ ସଂଯୋଗ ତାରିଖ ପୂର୍ବର ଅବଧି ପାଇଁ ସ୍ମାର୍ଟ ମିଟର ଦ୍ୱାରା ରେକର୍ଡ କରାଯାଇଥିବା ସର୍ବାଧିକ ଚାହିଦାକୁ ଆଧାର କରି କୌଣସି ଜୋରିନାମା ଲାଗୁ ହେବ ନାହିଁ । ଚାପ ବା ଲୋଡ୍‌ ସଂଶୋଧନ ପ୍ରକ୍ରିୟାକୁ ମଧ୍ୟ ଯୁକ୍ତିସଂଗତ କରାଯାଇଛି । ଗୋଟିଏ ଆର୍ଥିକ ବର୍ଷରେ ଯଦି ଅନୁମୋଦିତ ଚାପ ବା ଲୋଡ୍‌ ପରିମାଣ ତିନି ଗୁଣା ବୃଦ୍ଧି ପାଏ ତା’ହେଲେ ସର୍ବାଧିକ ଚାହିଦାକୁ ଉପର ଆଡ଼କୁ ସଂଶୋଧନ କରାଯିବ । ଅଧିକନ୍ତୁ, ଗୋଟିଏ ଦିନରେ ଦୂରରୁ ଥାଇ ସ୍ମାର୍ଟ ମିଟର ରିଡିଂ ନିଆଯିବ ଏବଂ ବିଦ୍ୟୁତ ଶକ୍ତି ଉପଯୋଗ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ସେମାନଙ୍କୁ ତଥ୍ୟ ପ୍ରଦାନ କରାଯିବ ।

Leave A Reply

Your email address will not be published.