Latest Odisha News

BREAKING NEWS

ମୋଦିଙ୍କ ଗସ୍ତ ବେଳେ ଭାରତ-ଆମେରିକା ମଧ୍ୟରେ ୮ଟି ବଡ଼ ବୁଝାମଣା

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଗସ୍ତ ସମୟରେ ଅନେକ ବଡ଼ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି । ହ୍ୱାଇଟ୍ ହାଉସର ଓଭାଲ କାର୍ଯ୍ୟାଳୟରେ ପିଏମ୍ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୈଠକ ସହ ଗୋଟିଏ ପରେ ଗୋଟିଏ ବୁଝାମଣା ଉପରେ ମୋହର ଲାଗିଛି ।

ଯେଉଁଥିରେ ଭାରତରେ ସେମିକଣ୍ଡକ୍ଟର ପ୍ଲାଣ୍ଟ, ରେଲୱେ, ବୈଷୟିକ ଜ୍ଞାନକୌଶଳ, ଡ୍ରୋନ୍, ଜେଟ୍ ଇଞ୍ଜିନ୍ ଓ ମହାକାଶ କ୍ଷେତ୍ର ଆଦି ସାମିଲ୍ ରହିଛି । ଭାରତ ଓ ଆମେରିକା ଉଭୟ ଦେଶ ମଧ୍ୟରେ ଜଟିଳ ବୈଷୟିକ ଜ୍ଞାନକୌଶଳକୁ ସୁରକ୍ଷିତ ରଖିବା ଓ ପରସ୍ପର ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ପାଇଁ ହୋଇଛି ଚୁକ୍ତି ସ୍ୱାକ୍ଷରିତ ।

ଗୁଜରାଟରେ ସେମିକଣ୍ଡକ୍ଟର ପ୍ଲାଣ୍ଟ

ଆମେରିକାର ସେମିକଣ୍ଡକ୍ଟର କମ୍ପାନୀ ମାଇକ୍ରନ୍ ଗୁଜରାଟରେ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏହାଦ୍ୱାରା କମ୍ପାନୀ ୨.୭ ଅରବ ଡଲାର ନିବେଶ କରିବ ।

ରେଲୱେ ପାଇଁ ବୁଝାମଣା

ଭାରତୀୟ ରେଳ ସହିତ ୟୁନାଇଟେଡ୍ ଷ୍ଟେଟ୍ସ ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ୍ ଡେଭଲପମେଣ୍ଟ/ଇଣ୍ଡିଆ ସହ ଏମଓୟୁ ସ୍ୱାକ୍ଷର କରିଛି । ଏଥିସହ କ୍ଲିନ୍ ଏନର୍ଜି ଓ ଉର୍ଜା ଦକ୍ଷତା ସମାଧାନ ଉପରେ ୟୁଏସ୍ଏଆଇଡି, ଭାରତକୁ ସହଯୋଗ କରିବ ।

ଆର୍ଟେମିସ୍ ଏକ୍କାର୍ଡ୍ସ

ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଆମେରିକା ଗସ୍ତ ବେଳେ ଆର୍ଟେମିସ୍ ଏକ୍କାର୍ଡ୍ସ ଚୁକ୍ତିକୁ ମଞ୍ଜୁରୀ ମିଳିଛି । ଯେଉଁଥିରେ ସମାନ ବିଚାରଧାରା ଦେଶର ନାଗରିକ ମହାକାଶ ଗବେଷଣା ପ୍ରସଙ୍ଗରେ ଏକାଠି ହେବେ । ନାସା ଓ ଇସ୍ରୋ ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପାଇଁ ମିଳିତ ଅଭିଯାନ କରିବେ । ଏହି ବୁଝାମଣା ଫଳରେ ୨ ଦେଶ ମଧ୍ୟରେ ମହାକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ ।

ଫାଇଟର ଜେଟ୍ସ ଇଞ୍ଜିନ୍ ପ୍ଲାଣ୍ଟ

ଭାରତରେ ଜିଇ ଏୟରୋସ୍ପେସ୍ କମ୍ପାନୀ ଇଞ୍ଜିନ୍ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏହା ପରେ ଭାରତରେ ଯୁଦ୍ଧ ବିମାନ ଇଞ୍ଜିନ୍ ତିଆରି ଆରମ୍ଭ ହୋଇ ପାରିବ । ଯେଉଁଥିରେ ଭାରତର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ଜିଇ ଏୟାରୋସ୍ପେସକୁ ସାହାଯ୍ୟ କରିବ । ଏହି ପ୍ଲାଣ୍ଟରେ ଭାରତୀୟ ବାସୁସେନାର ହାଲୁକା ଯୁଦ୍ଧ ବିମାନ ତେଜସ୍ ଏମକେ-୨ ପାଇଁ ଇଞ୍ଜିନ୍ ନିର୍ମାଣ ହେବ ।

ଇଣ୍ଡସ୍ଏକ୍ସର ଆରମ୍ଭ

ଭାରତ ଓ ଆମେରିକା ମିଶି ୟୁଏସ୍-ଇଣ୍ଡିଆ ଡିଫେନ୍ସ ଏକ୍ସିଲିରେସନ୍ ଇକୋସିଷ୍ଟମ ଆରମ୍ଭ କରିବେ । ଏଥିରେ ଦୁଇ ଦେଶର ବିଶ୍ୱବିଦ୍ୟାଳୟ, ଷ୍ଟାର୍ଟଅପ୍, ଶିଳ୍ପ ଆଦି ସାମିଲ୍ ହେବେ ।

ବୈଷୟିକ ଜ୍ଞାନକୌଶଳର ଆଦାନପ୍ରଦାନ

ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଜଟିଳ ବୈଷୟିକ ଜ୍ଞାନକୌଶଳକୁ ସୁରକ୍ଷିତ ରଖିବା ଏବଂ ଆଦାନପ୍ରଦାନ କରିବା ନେଇ ଚୁକ୍ତି ହୋଇଛି । ଏଥିସହ ଇନସିଏଟିଭ୍ ଅନ୍ କ୍ରିଟିକାଲ୍ ଆଣ୍ଡ ଏମର୍ଜିଂ ଟେକ୍ନୋଲୋଜି (iCET)ର ଆରମ୍ଭ କରାଯାଇଛି ।

ପ୍ରିଡେଟର ଡ୍ରୋନ୍

ଗସ୍ତ ସମୟରେ ମୋଦି, ବାଇଡେନଙ୍କ ସହ ଜେନେରାଲ୍ ଅଟୋମିକ୍ସ ଏମକ୍ୟୁ ୯ ରିପର ସଶସ୍ତ୍ର ଡ୍ରୋନ୍ କ୍ରୟ ନେଇ ବଡ଼ ଡିଲ୍ କରିଛନ୍ତି । ଏମକ୍ୟୁ-୯ ରିପର ଡ୍ରୋନ୍ ଭାରତର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ । ଯାହାର ମୁତୟନ ଭାରତ ମହାସାଗର, ଚୀନ ସୀମା ସହ ଅନ୍ୟ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ପାଇଁ କରାଯାଇ ପାରିବ । ପ୍ରାୟ ୨୯ ହଜାର କୋଟି ମୂଲ୍ୟର ବୁଝାମଣାରେ ଭାରତକୁ ୩୦ଟି ଲଢ଼ୁଆ ଡ୍ରୋନ୍ ମିଳିବ ।

ଭାରତରେ ୨ଟି ନୂଆ ଦୂତାବାସ

ଭାରତର ବେଙ୍ଗଳୁରୁ ଓ ଅହମଦାବାଦରେ ଆମେରିକା ୨ଟି ବାଣିଜ୍ୟିକ ଦୂତାବାସ ଖୋଲିବ । ଏଥିସହ ଭାରତୀୟଙ୍କ ସହ ସମ୍ପର୍କ ବଢ଼ାଇବା ଲାଗି ସିଏଟଲ ମିଶନ କାର୍ଯ୍ୟକାରୀ ହେବ ।

Leave A Reply

Your email address will not be published.