Latest Odisha News

ଗୁରୁ ପଦ୍ମସମ୍ଭବ ଓଡ଼ିଶାରେ ଜନ୍ମ ବୋଲି ନାଳନ୍ଦାରେ ଦୃଢ଼ ଯୁକ୍ତି ରଖିଲେ ପ୍ରବୀର ପଟ୍ଟନାୟକ

ଭୁବନେଶ୍ବର: ସମଗ୍ର ବିଶ୍ବରେ ଦ୍ବିତୀୟ ବୁଦ୍ଧ ଭାବରେ ସ୍ବୀକୃତି ପାଇଥିବା ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନକୁ ନେଇ ନାଳନ୍ଦାରେ ଦୃଢ଼ ଯୁକ୍ତି ରଖିଛନ୍ତି ଓଡ଼ିଶାର ବିଶିଷ୍ଟ ଗବେଷକ ପ୍ରବୀର ପଟ୍ଟନାୟକ । ହେଲେ ବିଭିନ୍ନ ତଥ୍ୟ ଓ ପ୍ରମାଣ ସହ ଏକ ବ୍ୟାଖ୍ୟାନ ରଖି ସେ କହିଛନ୍ତି ଯେ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଉଡ୍ଡୀୟାନ ତତ୍କାଳୀନ ଓଡ଼ିଶା ବ୍ୟତୀତ ଆଉ କିଛି ନୁହେଁ ।

ତେବେ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଉଡ୍ଡୀୟାନ ପାକିସ୍ତାନର ସ୍ବାତ୍ ଉପତ୍ୟକାରେ ଅବସ୍ଥିତ ବୋଲି କେତେକ ପାଶ୍ଚାତ୍ୟ ଗବେଷକ ଭ୍ରମାତ୍ମକ ପ୍ରଚାର କରୁଛନ୍ତି । ଯାହାକୁ ଖଣ୍ଡନ କରିଛନ୍ତି ପ୍ରବୀର ପଟ୍ଟନାୟକ ।

ଗୁରୁ ପଦ୍ମସମ୍ଭବଙ୍କ ଜୀବନ ଓ ଦର୍ଶନ ବିଷୟରେ ଆଲୋଚନା ପାଇଁ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ଓ ନବନାଳନ୍ଦା ମହାବିହାର ଦ୍ବାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀକୁ ଅଗଷ୍ଟ ୨୮ ତାରିଖ ସକାଳେ ଉଦ୍‌ଘାଟନ କରିଥିଲେ ବିହାରର ରାଜ୍ୟପାଳ ରାଜେନ୍ଦ୍ର ଐରେକର । ବିଶ୍ବର ବିଭିନ୍ନ ପ୍ରାନ୍ତରୁ ବୌଦ୍ଧ ଧର୍ମର ବହୁ ଗବେଷକ ଓ ବିଦ୍ବାନମାନେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ଏହି ସମ୍ମିଳନୀର ପ୍ରଥମ ଅଧିବେଶନରେ ଗବେଷକ ପ୍ରବୀର ପଟ୍ଟନାୟକ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଉଡ୍ଡୀୟାନ ପୀଠକୁ ନେଇ ଓଡ଼ିଶା ସପକ୍ଷରେ ଦାବୀ ଉପସ୍ଥାପନ କରିଥିଲେ । ଏହି ଅଧିବେଶନରେ ଓଡ଼ିଶାର ଜିରାଙ୍ଗଠାରେ ଥିବା ‘ପଦ୍ମସମ୍ଭବ ମହାବିହାର’ ର ସଭାପତି ଗେଟ୍ରୁଲ୍ ଜିଗ୍‌ମେ ରିଂପୋଂଚେ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ ।

ଗବେଷକ ପ୍ରବୀର କୁମାର ପଟ୍ଟନାୟକଙ୍କ ବ୍ୟାଖ୍ୟାନର ମୁଖ୍ୟ ବିନ୍ଦୁ ଥିଲା ଯେ, କେତେକ ଐତିହାସିକ ନଥିରେ ଉଡ୍ଡୀୟାନରେ ‘ସମ୍ଭଳ’ (ଇନ୍ଦ୍ରଭୂତିଙ୍କ ଶାସନାଧୀନ) ଓ ଲଙ୍କାପୁରୀ (ଜଳେନ୍ଦ୍ରଙ୍କ ଶାସନାଧୀନ) ଅବସ୍ଥିତ ଥିବା କଥା ଉଲ୍ଲେଖ ଅଛି । ଏହି ସ୍ଥାନଗୁଡ଼ିକ ଓଡ଼ିଶାରେ ଥିବା ବର୍ତ୍ତମାନର ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ହିଁ ଅବସ୍ଥିତ । ସେ ମଧ୍ୟ କହିଛନ୍ତି ଯେ, ଗୁରୁ ପଦ୍ମସମ୍ଭବଙ୍କ ପବିତ୍ର ଦେହାବଶେଷ ଓଡ଼ିଶାର ଉଦୟଗିରିଠାରେ ଥିବା ମାଧବପୁର ମହାବିହାରରେ ସଂରକ୍ଷିତ ଅଛି ।

Comments are closed.