Latest Odisha News

BREAKING NEWS

ଅବସର ପୂର୍ବରୁ ପ୍ରଦୀପ ଜେନାଙ୍କ ଭାବପ୍ରବଣ ପୋଷ୍ଟ

ଭୁବନେଶ୍ବର: ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ପ୍ରଦୀପ ଜେନା। ଅବସର ପୂର୍ବରୁ ସୋସିଆଲ୍ ମିଡିଆ ଏକ୍ସରେ ଭାବପ୍ରବଣ ପୋଷ୍ଟ କରିଥିଲେ । ଆଉ ମାତ୍ର କିଛି ସମୟ ମଧ୍ୟରେ ପୋଷ୍ଟରରେ ହଜାର ହଜାର ଭିୟୁ ହୋଇଥିଲା। କିଏ ପ୍ରଦୀପଙ୍କ କାର୍ଯ୍ୟଦକ୍ଷତାକୁ ଭୁରି ଭୁରି ପ୍ରଶଂସା କରିଥିଲେ ତ କିଏ ଅଭିଯୋଗ ଆଣିଥିଲେ । ୟୁଜର୍ସଙ୍କ ସହ ନିଜ ପରଫର୍ମାନ୍ସ ନେଇ ସିଧାସଳଖ ଆଲୋଚନା କରିଥିଲେ ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ । କହିଥିଲେ, ବିଧି ବ୍ୟବସ୍ଥାର ଶିକୁଳି ଭିତରେ ମୁଖ୍ୟ ଶାସନ ସଚିବ ସବୁ କିଛି କରିପାରନ୍ତିନି ।

ଅବସର ପୂର୍ବରୁ ଭାବପ୍ରବଣ ପୋଷ୍ଟ

ରବିବାର ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନାଙ୍କର ଶେଷ ଦିନ ଥିଲା। ଏହାପୂର୍ବରୁ ସୋସିଆଲ୍ ମିଡିଆ ଏକ୍ସରେ ସେ ହୃଦୟସ୍ପର୍ଶୀ ପୋଷ୍ଟ କରିଥିଲେ । ଜୀବନର ନୂଆ ପର୍ଯ୍ୟାୟକୁ ଯାଉଥିବାରୁ ସାଧାରଣ ଜନତା ଭାବେ ରାଷ୍ଟ୍ର ପାଇଁ କାର୍ଯ୍ୟ କରିବା ପାଇଁ ସେ ସମସ୍ତଙ୍କ ଆଶୀର୍ବାଦ ମାଗିଥିଲେ । ଦୀର୍ଘ ଦିନ ଧରି କାର୍ଯ୍ୟପାଳିକାରେ ରହିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଦୀପ ଜେନାଙ୍କ ପୋଷ୍ଟରେ ମାତ୍ର କିଛି ସମୟ ମଧ୍ୟରେ ହଜାର ହଜାର ଭିୟୁ ହୋଇଥିଲା । ୟୁଜର୍ସମାନେ କମେଣ୍ଟ ବି ଲେଖିଥିଲେ । କିଛି ୟୁଜର୍ସ ଅଧିକାରୀ ଭାବେ ପ୍ରଦୀପଙ୍କ ଲୋକାଭିମୁଖୀ କାମକୁ ପ୍ରଶଂସା କରିଥିଲେ ତ କେହି କେହି ବିଭିନ୍ନ ପ୍ରସଙ୍ଗ ଉଠାଇ ଅଭିଯୋଗ କରିଥିଲେ। ୟୁଜର୍ସଙ୍କ କମେଣ୍ଟର ବି ଜବାବ ରଖିଥିଲେ ପ୍ରଦୀପ ଜେନା।

‘ମୁଖ୍ୟ ଶାସନ ସଚିବ ସବୁ କରିପାରନ୍ତିନି’

ଲୋକେ ଭାବନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ସବୁ କରିପାରନ୍ତି, ହେଲେ ଏହା ସତ ନୁହେଁ । ଲୋକଙ୍କର କିଛି ଆଶା ତାଙ୍କ କ୍ଷମତା ବାହାରେ ରହିଥାଏ । ବ୍ୟବସ୍ଥା, ପ୍ରକ୍ରିୟା ଓ ନିୟମାବଳୀର ସୀମିତ ସୀମା ଭିତରେ ସେ ବନ୍ଧା ଥିଲେ । ବିଭିନ୍ନ ସମୟରେ ସାହାଯ୍ୟ କରିବାକୁ ଚାହିଁଲେ ବି ଏସବୁ ସୀମା ପାଇଁ ସେ କରିପାରିନଥିଲେ ବୋଲି ଲେଖିଛନ୍ତି । ପ୍ରଦୀପ ଜେନାଙ୍କ ଅବସର ପୂର୍ବ ପୋଷ୍ଟରେ ଜଣେ ୟୁଜର ଜୁନିୟର ଶିକ୍ଷକଙ୍କ ପାଇଁ ସେ କିଛି କରିନଥିବା କହିଥିଲେ । ଏହାର ଉତ୍ତରରେ ଏହା ସତ, ସେ କରିନାହାନ୍ତି ବା କରିପାରିନାହାନ୍ତି। ସବୁ ଯଦି ଏତେ ସହଜ ହୋଇଥାନ୍ତା ସରକାର କାହିଁକି କରିପାରିଲେନି ବୋଲି ସେ ପ୍ରଶ୍ନ କରିଥିଲେ । ମୁଖ୍ୟ ଶାସନ ସଚିବ ବି ଜଣେ ସରକାରୀ କର୍ମଚାରୀ, ତାଙ୍କର ବି ଅନେକ ପ୍ରତିବନ୍ଧକ ରହିଛି । ତାଙ୍କ ନିଜ ଭାଇ ବି ଅଧ୍ୟାପକ, ସେ ମଧ୍ୟ ତାଙ୍କୁ ଏହାକୁ ନେଇ ଅଭିଯୋଗ କରନ୍ତି ବୋଲି ପ୍ରଦୀପ ଜେନା କହିଥିଲେ ।

ଲୋକଙ୍କ ସହ ଓ୍ବାନ୍ ଟୁ ଓ୍ବାନ୍

ସୋସିଆଲ ମିଡିଆରେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ପ୍ରଦୀପ ଜେନା । ତାଙ୍କ ଗାଁରୁ ଜଣେ ୟୁଜର ସେ ନିଜ ଅଞ୍ଚଳ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ସେ ଜଣେ ବ୍ୟକ୍ତିବିଶେଷ ଭାବେ କିଛି କରିନାହାନ୍ତି । ତେବେ ଭୁବନ ଓ କାମାକ୍ଷାନଗର ବ୍ଲକ ସଂପୂର୍ଣ୍ଣ ଭାବେ ଜଳସେଚିତ, ଗୁଣାତ୍ମକ ବିଜୁଳି ସେବା, କିଛି ଭଲ ସଡକ ଓ କିଛି ସେତୁ, ଜାତୀୟ ରାଜପଥ ଓ ରେଳଲାଇନ୍ ପରି ବିଭିନ୍ନ ଲୋକାଭିମୁଖୀ କାମରେ ତାଙ୍କର ବି କିଛି ପରିମାଣରେ ଭୂମିକା ରହିଛି । ତେବେ ସେ କାହାକୁ ନିଯୁକ୍ତି ଦେଇନଥିବା ମାନିଛନ୍ତି । ସେହିପରି ଜୀବଜନ୍ତୁଙ୍କ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ସେ କୌଣସି ଆକ୍ସନ୍ ନେଇନଥିବା ଜଣେ ୟୁଜର ଲେଖିଥିଲେ । ଉତ୍ତରରେ ସେ ବିଭିନ୍ନ ଜିଲ୍ଲାରେ ଜୀବଜନ୍ତୁଙ୍କ ଚିକିତ୍ସା ପାଇଁ ୧୮୧ଟି ଆମ୍ବୁଲାନ୍ସ, ପାଥୋଲ୍ୟାବ ସାଙ୍ଗକୁ ଏକ୍ସ-ରେ ପରି କିଛି ଉନ୍ନତମାନର ଉପକରଣ ବ୍ୟବସ୍ଥା କରିଥିବା କହିଥିଲେ । ସେହିପରି ଅନ୍ୟ ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେଇ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିଲା ଓ ମୃତ୍ୟୁସଂଖ୍ୟା ଘୋଷଣା କରାଯାଇଥିବା ପ୍ରଦୀପ ଜେନା କହିଥିଲେ ।

ସୋସିଆଲ୍ ମିଡିଆ ଆକାଉଣ୍ଟ ଚଳାଇବାକୁ ଅନ୍ୟ ମାନଙ୍କ ପରି ସେ କୌଣସି ଏଜେନ୍ସି କିମ୍ବା ସହାୟକ ରଖିନାହାନ୍ତି । ନିଜେ ହିଁ ସବୁ ଟ୍ବିଟର ଉତ୍ତର ରଖନ୍ତି । ସେଥିପାଇଁ ସବୁ ଟ୍ବିଟର ଜବାବ ଦେଇ ପାରିନଥିବାରୁ ସେ କ୍ଷମା ବି ମାଗିଛନ୍ତି । ୧୯୮୯ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଜେନାଙ୍କର ମୁଖ୍ୟ ଶାସନ ସଚିବ ଭାବେ ଛଅ ମାସିଆ ବର୍ଦ୍ଧିତ କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି । ତାଙ୍କ ପରେ ରାଜ୍ୟରେ କାର୍ଯ୍ୟପାଳିକାର ସର୍ବୋଚ୍ଚ ପଦରେ ବସିଛନ୍ତି ମନୋଜ ଆହୁଜା । ସୁରେଶ ମହାପାତ୍ରଙ୍କ ପରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ ପ୍ରଦୀପ ଜେନା ।

Leave A Reply

Your email address will not be published.