ଭୁବନେଶ୍ବର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଚ୍ଚ ନ୍ୟାୟାଳୟରୁ ମିଳିଛି ସର୍ତ୍ତମୂଳକ ଜାମିନ । ଠକେଇ ଓ ଅନ୍ୟାନ୍ୟ ମାମଲାରେ ଫସିଥିବା ଗିରଫ ହୋଇ ଜେଲରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ ଜାମିନ୍ ପ୍ରଦାନ କରାଯାଇଛି ।
୨୪ ଲକ୍ଷ ଟଙ୍କାର ନଗଦ ଜମା ଓ ୫ ଲକ୍ଷ ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଦିଆଯାଇଛି ଜାମିନ । ତେବେ ଜାମିନ୍ ମିଳିବା ପରେ ମଧ୍ୟ ସେ ଜେଲ୍ରେ ରହିବେ ବୋଲି ସୂଚନା ରହିଛି । ତାଙ୍କ ବିରୋଧରେ ଥିବା ଅନ୍ୟ ମାମଲାରେ ଜାମିନ ମିଳି ନଥିବାରୁ ସେ ଏବେ ଝାରପଡ଼ା ଜେଲ୍ରେ ରହିବେ । ଚାକିରି ଆଶାୟୀଙ୍କ ନିକଟରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ରହିଛି ।
ଡିସେମ୍ବର ୩ ତାରିଖରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ । ଏହାର କିଛି ସମୟ ପରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଥିଲା କ୍ରାଇମବ୍ରାଞ୍ଚ । ଗିରଫ ହେବା ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା। ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍ରେ କୁହାଯାଇଥିଲା।
Comments are closed.