Latest Odisha News

BREAKING NEWS

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ବର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଚ୍ଚ ନ୍ୟାୟାଳୟରୁ ମିଳିଛି ସର୍ତ୍ତମୂଳକ ଜାମିନ । ଠକେଇ ଓ ଅନ୍ୟାନ୍ୟ ମାମଲାରେ ଫସିଥିବା ଗିରଫ ହୋଇ ଜେଲରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି ।

୨୪ ଲକ୍ଷ ଟଙ୍କାର ନଗଦ ଜମା ଓ ୫ ଲକ୍ଷ ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଦିଆଯାଇଛି ଜାମିନ । ତେବେ ଜାମିନ୍‌ ମିଳିବା ପରେ ମଧ୍ୟ ସେ ଜେଲ୍‌ରେ ରହିବେ ବୋଲି ସୂଚନା ରହିଛି । ତାଙ୍କ ବିରୋଧରେ ଥିବା ଅନ୍ୟ ମାମଲାରେ ଜାମିନ ମିଳି ନଥିବାରୁ ସେ ଏବେ ଝାରପଡ଼ା ଜେଲ୍‌ରେ ରହିବେ । ଚାକିରି ଆଶାୟୀଙ୍କ ନିକଟରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ରହିଛି ।

ଡିସେମ୍ବର ୩ ତାରିଖରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ । ଏହାର କିଛି ସମୟ ପରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଥିଲା କ୍ରାଇମବ୍ରାଞ୍ଚ । ଗିରଫ ହେବା ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା। ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍‌ରେ କୁହାଯାଇଥିଲା।

Leave A Reply

Your email address will not be published.