Prafulla Mallik: ବିଜେଡିରୁ ନିଲମ୍ବିତ ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ୍, କହିଲେ, ‘ପୂର୍ବରୁ ଦେଇଥିଲି ଇସ୍ତଫା’
ଭୁବନେଶ୍ବର: ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍ । ଢେଙ୍କାନାଳର କାମାକ୍ଷାନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଓ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଦଳରୁ ଶୁକ୍ରବାର ଦିନ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି ବିଜେଡି ଉପସଭାପତି ପ୍ରତାପ ଜେନା । ଦଳ ଛାଡିବାର ସଙ୍କେତ ଦେବାର ଦିନକ ପରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି ।
ଏନେଇ ବିଜେଡି ଉପସଭାପତି ପ୍ରତାପ ଜେନା ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଥିବା ବେଳେ ପ୍ରଫୁଲ୍ଲଙ୍କ କାର୍ଯ୍ୟକୁ ସୁଯୋଗବାଦୀ ଏବଂ ଦଳ ପ୍ରତି ବିଶ୍ବାସଘାତକତା ବୋଲି କହିଛନ୍ତି । ପ୍ରତାପ କହିଛନ୍ତି, ପ୍ରଫୁଲ୍ଲଙ୍କ ସାମ୍ପ୍ରତିକ ବକ୍ତବ୍ୟ ଏବଂ କାର୍ଯ୍ୟ ଦଳର ଏକତା ଏବଂ ଶୃଙ୍ଖଳା ପାଇଁ କ୍ଷତିକାରକ । ଏହା ଦଳ ଏବଂ ଏହାର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ବିଶ୍ୱାସଘାତକତା ବୋଲି ଅଭିଯୋଗ କରିଛନ୍ତି ପ୍ରତାପ ।
ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ନିଲମ୍ବନ ପୂର୍ବରୁ କାଳେ ଦଳରୁ ଇସ୍ତଫା ଦେଇସାରିଥିଲେ ପ୍ରଫୁଲ୍ଲ । ଏନେଇ ସେ ନିଜେ ସ୍ପଷ୍ଟ କରିଛନ୍ତି । ବିଜେଡିରୁ ନିଲମ୍ୱନ ହେବା ପରେ ପ୍ରଫୁଲ୍ଲ କହିଛନ୍ତି, “ମୁଁ ଇସ୍ତଫା ଦେବା ପରେ ମୋତେ ସସପେଣ୍ଡ କରାଯାଇଛି । ଦଳକୁ ସୁରକ୍ଷିତ ଭାବେ ରଖିବା ପାଇଁ ଆକ୍ସନ୍ ନେଇଥାଇପାରନ୍ତି । “ମୁଁ ଇସ୍ତଫା ଦେବା ନେଇ ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କୁ ଜଣାଇଥିଲି,” ବୋଲି ଦାବି କରିଛନ୍ତି ପ୍ରଫୁଲ୍ଲ । ସେ ଆହୁରି ବି କହିଛନ୍ତି, ବିଜେଡିର କୌଣସି ସାଂଗଠନିକ କାର୍ଯ୍ୟରେ ମୁଁ ଯୋଗ ଦେଉନଥିଲି । ଆଗକୁ ଚାଷୀ ଓ ଶ୍ରମିକଙ୍କ ପାଇଁ ସ୍ୱେଚ୍ଛାସେବୀ ଭାବେ କାମ କରିବି । ଏବେ କେଉଁ ଦଳକୁ ଯିବା ପାଇଁ ମନ ସ୍ଥିର କରିନାହିଁ ବୋଲି କହିଛନ୍ତି ପ୍ରଫୁଲ୍ଲ ।
ଅନ୍ୟପଟେ ପ୍ରଫୁଲ୍ଲଙ୍କ ଇସ୍ତଫାକୁ ନିଶ୍ଚିତ କରିଛନ୍ତି ଦେବୀ ମିଶ୍ର । ଦେବୀ ମିଶ୍ର କହିଛନ୍ତି, ପ୍ରଫୁଲ୍ଲ ଦଳରେ ନାହାଁନ୍ତି ବୋଲି କହୁଥିଲେ । ଟେଲିଫୋନରେ ଇସ୍ତଫା ନେଇ ପ୍ରଫୁଲ୍ଲ ପ୍ରଦୀପ ଅମାତଙ୍କୁ ଜଣାଇଥିଲେ ବୋଲି କହିଛନ୍ତି ଦେବୀ । ଦଳ ଆମ ପାଇଁ ବଡ଼, ବ୍ୟକ୍ତି ନୁହେଁ ବୋଲି କହିଛନ୍ତି ଦେବୀ ମିଶ୍ର ।
ଯାହାକୁ ନେଇ ଏବେ ଇସ୍ତଫା ପରେ କାହିଁକି ସସପେଣ୍ଡ କରାଗଲା ବୋଲି ପ୍ରଶ୍ନ ଉଠିଛି ।
ତେବେ ଚାରିଥର ବିଧାୟକ ଏବଂ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୁରୁବାର ଦଳର ନେତୃତ୍ୱକୁ ସମାଲୋଚନା କରିଥିଲେ ଏବଂ ନିଜକୁ ସାଂଗଠନିକ ବ୍ୟାପାରରୁ ଦୂରେଇ ରଖିଥିବା କହିଥିଲେ । ପ୍ରଫୁଲ୍ଲ କହିଥିଲେ, “ମୁଁ ଏବେ ବିଜେଡିରେ ଅଛି । କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନାହିଁ । ଆଗକୁ ଯଦି ଦଳ ଠିକ ଭାବରେ ନଚାଲେ, ତେବେ ଦଳଠାରୁ ମୁଁ ଦୂରେଇ ଯିବି ।”ସେ ଆହୁରି କହିଥିଲେ, “ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ଦଳ ଏବେ ଆଉ ପୂର୍ବ ବିଚାର ଧାରାରେ ନାହିଁ । ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ । PAC (ରାଜନୈତିକ ବ୍ୟପାର କମିଟି), ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନାହିଁ ।”
ଏଥିସହିତ ନୂଆ ବିଜେଡି ଚର୍ଚ୍ଚାରେ ଉପରେ ପ୍ରଫୁଲ୍ଲ କହିଥିଲେ, “ମୋ ସହିତ କେହି ଆଲୋଚନା କରିନାହାଁନ୍ତି କି ମୁଁ କାହାକୁ ଭେଟିନି । ବର୍ତ୍ତମାନ ନୂଆ ବିଜେଡି ଗଠନର ସମୟ ନୁହେଁ । ପୁରୁଣା ବିଜେଡିକୁ ସଠିକ ଭାବେ ଚଳାଇବାକୁ ପଡିବ,” ବୋଲି କହିଥିଲେ ପ୍ରଫୁଲ୍ଲ ମଲ୍ଲିକ । ଯାହାର ଠିକ୍ ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି ।
ତେବେ ରାୟଗଡା ଜିଲ୍ଲା ବିଜେଡି ବରିଷ୍ଠ ନେତା ଏନ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ଦଳ ଛାଡିବାର କିଛି ଦିନ ଭିତରେ ପ୍ରଫୁଲ୍ଲ ବିଜେଡିରୁ ଯିବା ଦଳ ପାଇଁ ଗୋଟେ ଝଟକା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।
Comments are closed.