Latest Odisha News

ଭାରତ ଫେରିବା ପୂର୍ବରୁ ଅଗ୍ରୀମ ଜାମିନ ଆବେଦନ କଲେ ପ୍ରଜ୍ବଳ ରେବାନ୍ନା

ବେଙ୍ଗାଲୁରୁ: କର୍ଣ୍ଣାଟକର ଚର୍ଚ୍ଚିତ ଯୌନ କେଳେଙ୍କାରୀ ମାମଲାର ଅଭିଯୁକ୍ତ ଏବଂ ଜେଡିଏସ୍ ସାଂସଦ ପ୍ରଜ୍ବଳ ରେବାନ୍ନା ଆସନ୍ତା ମେ, ୩୧ ତାରିଖରେ ଭାରତ ଫେରିବେ । ଭାରତ ଫେରିବା କ୍ଷଣି ଅର୍ଥାତ୍ ବେଙ୍ଗାଲୁରୁ ବିମାନବନ୍ଦରରେ ତାଙ୍କର ବିମାନ ଅବତରଣ କରିବା କ୍ଷଣି ତାଙ୍କୁ ଗିରଫ କରିବାକୁ ଏସଆଇଟି ଟିମକୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ସରକାର । ତେବେ ଏହା ପୂର୍ବରୁ ଆଗୁଆ ଜାମିନ ଆବେଦନ କରିଛନ୍ତି ରେବାନ୍ନା । ରେବନ୍ନାଙ୍କ ଜାମିନ ଆବେଦନ ବେଙ୍ଗାଲୁରୁ କୋର୍ଟରେ ରେବନ୍ନାଙ୍କ ମା’ ଦାଖଲ କରିଛନ୍ତି ।

ସୂଚନା ଅନୁସାରେ, ଯୌନ କେଳେଙ୍କାରୀ ମାମଲାରେ ବିବାଦ ଘେରକୁ ଆସିଥିବା ରେବାନ୍ନା ମେ’ ୩୧ରେ ବେଙ୍ଗାଲୁରୁରେ ପହଞ୍ଚିବେ । କୁହାଯାଉଛି ଯେ, ପ୍ରଜ୍ଜ୍ଵଳଙ୍କ ବିମାନ ସକାଳ ୮ଟାରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବ । ବିମାନବନ୍ଦରରେ ପହଞ୍ଚିବା କ୍ଷଣି ହିଁ ତାଙ୍କୁ ଏହି ମାମଲାରେ ଗଠିତ ଏସଆଇ ଟିମ୍ ଗିରଫ କରିବ । ଗତ ୨୭ ତାରିଖରେ ଏକ ଭିଡିଓ ସେୟାର କରି ରେବାନ୍ନା କହିଥିଲେ ଯେ, ସେ ୩୧ ମେ’ରେ ଫେରିବେ । ତାଙ୍କୁ ବିରୋଧି ଦଳ ଷଡଯନ୍ତ୍ର କରି ଫସେଇବାକୁ ଚେଷ୍ଟା କରିଛନ୍ତି ।ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଥିଲେ ସାଂସଦ ରେବନ୍ନା ।

ସୂଚନଯୋଗ୍ୟ ଯେ, କର୍ଣ୍ଣାଟକର ହାସନ ଲୋକସଭାର ଜେଡିଏସ୍ ପ୍ରାର୍ଥୀ ପ୍ରଜ୍ଜ୍ଵଳ। ଏପ୍ରିଲ ୨୬ ତାରିଖରେ ସେଠାରେ ଭୋଟ ଗ୍ରହଣ ହେବାରଥିଲା। କିନ୍ତୁ ମତଦାନର ଅଳ୍ପ କିଛି ଦିନ ପୂର୍ବରୁ ରେବନ୍ନାଙ୍କ କଳା କାରନାମାର ହୋଇଥିଲା ପର୍ଦ୍ଦାଫାସ। ହାତକୁ ହାତ ବୁଲିଥିଲା ରେବନ୍ନା ବିଭିନ୍ନ ମହିଳାଙ୍କୁ କରିଥିବା ଶାରୀରିକ ଶୋଷଣର ଭିଡିଓ। ପ୍ରଜ୍ଜ୍ଵଳ ନିଜ ଯୌନ କେଳେଙ୍କାରୀ ପ୍ରଘଟ ହୋଇଯିବା ଜାଣି ଭୋଟ ଗ୍ରହଣର ଠିକ ପରଦିନ କର୍ଣ୍ଣାଟକରୁ ଗାୟବ ହୋଇଯାଇଥିଲେ। ସେ ନିଜର ଡିପ୍ଲୋମାଟିକ୍ ପାସପୋର୍ଟ ବ୍ୟବହାର କରି ଜର୍ମାନୀ ଚାଲିଯିବାରେ ସଫଳ ହୋଇଥିଲେ ବୋଲି କୁହାଯାଉଛି।

ସାଂସଦ ରେବନ୍ନାଙ୍କ ନାଁରେ ପୋଲିସ ନିକଟରେ ଏକାଧିକ ଏଫ୍‌ଆଇଆର୍ ଦାଖଲ ହୋଇଛି। ଏସଆଇଟି ଗଠନ କରି କର୍ଣ୍ଣାଟକ ପୋଲିସ ଘଟଣାର ତଦନ୍ତ କରୁଛି। ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ପ୍ରଜ୍ଜ୍ୱଳଙ୍କ ବିରୋଧରେ ଆଇପିସିର ୩୭୬, ୩୫୪-ଏ, ୩୫୪-ଡି, ୫୦୬ ଏବଂ ୫୦୯ ଆଦି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ତେବେ ରେବନ୍ନାଙ୍କୁ ଫେରାଇ ଆଣିବାକୁ ଇଣ୍ଟରପୋଲ୍‌ର ବ୍ଲୁ କର୍ନର ନୋଟିସ୍‌ ଜାରି କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନୋଟିସ୍‌ ଜାରି କରିବା ସହ ସ୍ବତନ୍ତ୍ର କୂଟନୈତିକ ପାସ୍‌ପୋର୍ଟ ଖାରଜ କରିବାକୁ ମଧ୍ୟ ଚେତାବନୀ ଦେଇଥିଲା।

 

Comments are closed.