Latest Odisha News

ବାବୁସାନଙ୍କ ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ର ବିବାଦ; ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର : ଅଭିନେତା ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲାରେ ପୁନଃ ତଦନ୍ତ ହେବ। ଦୁଇ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ସମେତ ଅନ୍ୟ ୭ ଜଣଙ୍କ ନାଁରେ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଜୁଲାଇ ୨୩ରେ ବିଚ୍‌ ରାସ୍ତାରେ ପ୍ରକୃତିଙ୍କ ଉପରେ ତୃପ୍ତି ଆକ୍ରମଣ କରିଥିବା ନେଇ ଅଭିନେତ୍ରୀ ଜଣଙ୍କ ଏତଲାରେ ଦର୍ଶାଇଥିଲେ । ଏହି ଘଟଣାରେ ପୋଲିସ ଚାର୍ଜସିଟ ଦାଖଲ କରି ସାରିରିଥିବା କମିଶନରେଟ ପୋଲିସ ହାଇକୋର୍ଟଙ୍କୁ ଅବଗତ କରିଥିଲା। କିନ୍ତୁ ଆଇପିସିର ୩୫୪ ଧାରାରେ ଚାର୍ଜସିଟରେ ଅନେକ କିଛି କଥା ଉଲ୍ଲେଖ ନଥିବା ହାଇକୋର୍ଟରେ ଉଲ୍ଲେଖ କରିଥିଲେ ଆବେଦନକାରୀ ପ୍ରକୃତି ମିଶ୍ରଙ୍କ ଓକିଲ ।

କମିଶନରେଟ ପୋଲିସ ନିକଟରେ ହୋଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା । ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ନ୍ୟାୟ ଦେଇପାରି ନଥିବା ଅଭିଯୋଗ କରି ଶେଷରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପ୍ରକୃତି ।

ବିଭିନ୍ନ ପ୍ରକାର ଅଭିଯୋଗ ଥିଲେ ବି ପୋଲିସ ଉପଯୁକ୍ତ ଦଫା ଲଗାଇ ନ ଥିବା ଅଭିଯୋଗ ଆଣିଥିଲେ ପ୍ରକୃତି ମିଶ୍ର। ମାମଲାରେ ଗୃହ ସଚିବ, ପୋଲିସ କମିଶନର, ଭୁବନେଶ୍ୱର ଡିସିପି ଓ ଖାରବେଳନଗର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଯେଉଁଭଳି ଭାବେ ପ୍ରକୃତିଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ କରାଗଲା ସେ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଖାରବେଳ ନଗର ଥାନା ପୋଲିସ ଉପଯୁକ୍ତ ଦଫାରେ ଚାର୍ଜସିଟ କରି ନ ଥିବା ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପ୍ରତୃତିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ।

ଏହାପରେ ହାଇକୋର୍ଟ ସୋମବାର ଏହି ମାମଲାର ଶୁଣାଣି ବେଳେ ପୁନଶ୍ଚ ତଦନ୍ତ କରି ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହିତ ମାମଲାରେ ପୂର୍ଣ୍ଣଛେଦ ଟାଣିଛନ୍ତି।

 

Leave A Reply

Your email address will not be published.