Latest Odisha News

BREAKING NEWS

ପ୍ରମୋଦ ଭଗତ, ପଞ୍ଚାନନ ଗନ୍ତାୟତଙ୍କୁ ଓସ୍‌ଜା କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର: ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ପଦକ ବି‌ଜେତା ପାରା ବ୍ୟାଡ୍‌ମିଣ୍ଟନ୍ ତାରକା ପ୍ରମୋଦ ଭଗତ ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରପ୍ରାପ୍ତ ଦୌଡ଼କୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତଙ୍କୁ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ପକ୍ଷରୁ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ । ଆସନ୍ତା‌ ୨୧ ତାରିଖରେ ସଂଘର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ କଟକର ଓସିଏ ସମ୍ମିଳନୀ କକ୍ଷରେ ଉଭୟ କ୍ରୀଡ଼ା ତାରକାଙ୍କୁ ପୁରସ୍କୃତ କରାଯିବ। ପ୍ରମୋଦଙ୍କୁ ୨୦୧୯ ବର୍ଷ ପାଇଁ ଶ୍ରେଷ୍ଠ କ୍ରୀଡ଼ାବିତ୍ ଓ ପଞ୍ଚାନନଙ୍କୁ  ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍‌’ ପୁରସ୍କାର ପ୍ରଦାନ କରାଯିବ।ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫ୍‌ଆଇ)ର ଏକମାତ୍ର ଅନୁବନ୍ଧିତ ଓଡ଼ିଶା ସଂଘ ‘ଓସ୍‌ଜା’ ପକ୍ଷରୁ ୨୦୧୮ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଉଭୟ ପୁରସ୍କାର ବାବଦରେ ମାନପତ୍ର ସହ ୨୫,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ସଂଘ ପକ୍ଷରୁ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ବ ହୃଦୟନାଥ ଦାସ ଓ ଶ୍ୟାମାକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଧିତ କରାଯିବ । ରାଜ୍ୟର କିଂବଦନ୍ତି ବାସ୍କେଟବଲର୍ ଅରୂପାନନ୍ଦ ରାଉତରାୟ ମୁଖ୍ୟ ଅତିଥି, ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲର୍ ରାଜେନ୍ଦ୍ର ପ୍ରସାଦ ସିଂହ ଓ ଓଡ଼ିଶା କ୍ରିକେଟ୍ ସଂଘର ସଂପାଦକ ସଞ୍ଜୟ ବେ‌ହେରା ସମ୍ମାନିତ ଅତିଥି ଭାବେ ଯୋଗଦେ‌ବେ।

ସୂଚନାଯୋଗ୍ୟ, ଓସ୍‌ଜା ପୁରସ୍କାରର ପ୍ରଥମ ବିଜେତା ଥି‌ଲେ ହେପ୍ଟାଥଲନ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍ ଓ ବର୍ଷିୟାନ ଫୁଟ୍‌ବଲ୍ ଖେଳାଳି ଦେବ ସିଂହ। ସେହିଭଳି ଗତବର୍ଷ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ବ୍ରଜ ଭୂଷଣ ମହାନ୍ତି ଏହି ମର‌୍ୟ୍ୟଦାଜନକ ପୁରସ୍କାର ଗ୍ରହଣ କରିଥିଲେ।

ଗତବର୍ଷ ଓଡ଼ିଶାର ଅଷ୍ଟମ ଖେଳାଳି ଭାବେ ଅର୍ଜୁନ ପୁରସ୍କାର ଗ୍ରହଣ କରିଥିବା ପ୍ରମୋଦ ଉଭୟ ଏକକ ଓ ଯୁଗଳ ବର୍ଗରେ ୪୫ରୁ ଅଧିକ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି । କେବଳ ୨୦୧୯ ମସିହାରେ ସେ ୧୧ ସ୍ୱର୍ଣ୍ଣ, ୩ ‌ରୌପ୍ୟ ଓ ୪ କାଂସ୍ୟ ପଦକ ଜିତିଥିଲେ। ବିଶ୍ୱ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ସହ ସେ ମଧ୍ୟ ବିଶ୍ୱମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି। ଗତବର୍ଷ ପ୍ରମୋଦ ବିଡବ୍ଲ୍ୟୁଏଫ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ମନୋନୟନ ତାଲିକାରେ ସ୍ଥାନ ପାଇଥିଲେ। ଅନ୍ୟପକ୍ଷରେ ନିଜ ସମୟରେ ଜଣେ ବହୁମୁଖୀ କ୍ରୀଡ଼ା ତାରକା ଥିବା ପଞ୍ଚାନନ ଦ୍ବିତୀୟ ଓଡ଼ିଆ ଭାବେ ଜାତୀୟ ପ୍ରତିଯୋଗିତାର ୧୧୦ ବାଧାଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ରଶିକ୍ଷକ ଭାବେ ସେ ମଧ୍ୟ ଅନୁରାଧା ବିଶ୍ବାଳ ଓ ରଚିତା ମିସ୍ତ୍ରୀଙ୍କ ଭଳି ‌ଅଲିମ୍ପିଆନ୍ ସୃଷ୍ଟି କରିଥିଲେ।

Leave A Reply

Your email address will not be published.